ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ତେବେ ଗ୍ରୀଷ୍ମବକାଶ ସରିବା ପରେ ଏହା ଉପରେ ଶୁଣାଣି ହେବ। ଦାଖଲ ଆବେଦନରେ ବାୟୁସେନା କର୍ମୀ କହିଛନ୍ତି, ଏହି ଯୋଜନା କାରଣରୁ ସେମାନଙ୍କର କ୍ୟାରିୟର ୨୦ ବର୍ଷ ପରିବର୍ତ୍ତେ ଚାରି ବର୍ଷରେ ସୀମିତ ରହିଯିବ। ତେଣୁ ଅଗ୍ନିପଥ ଯୋଜନାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଆବେଦନକାରୀଙ୍କ ଓକିଲ ଆଡଭୋକେଟ୍ ଏମଏଲ ଶର୍ମା କହିଛନ୍ତି। ସରକାର ଯେ କୌଣସି ଯୋଜନା ଆଣି ପାରନ୍ତି ତେବେ ଏଠାରେ ଭୁଲ୍ ଏବଂ ଠିକ୍ର କଥା ଉଠୁଛି। ଏବେ ମଧ୍ୟ ୭୦ ହଜାର ଲୋକ ନିଯୁକ୍ତି ପତ୍ରର ଅପେକ୍ଷାରେ ରହିଥିବା ଆବେଦନକାରୀ କହିଛନ୍ତି। ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ବିଚାରପତି ଜେକେ ମାହେଶ୍ଵରୀଙ୍କ ଅବକାଶକାଳୀନ ଖଣ୍ଡପୀଠରେ ଦାଖଲ କରାଯାଇଛି।

ଆବେଦନରେ ଉଲ୍ଲେଖ ରହିଛି, ଅଗ୍ନିପଥ ଯୋଜନାକୁ ଅତି କମରେ ସେହି ଲୋକଙ୍କ ଉପରେ ଲାଗୁ କରାନଯାଉ ଯେଉଁମାନେ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ୍ ଅଛନ୍ତି ଏବଂ ନିଯୁକ୍ତି ପତ୍ରର ଅପେକ୍ଷାରେ ଅଛନ୍ତି। ଏହି ମାମଲାର ତୁରନ୍ତ ଶୁଣାଣି ହେବା ଉଚିତ୍। କାରଣ ଏହା ସୈନିକଙ୍କ କ୍ୟାରିୟରର ପ୍ରଶ୍ନ। ଓକିଲ କହିଛନ୍ତି, ଅନେକ ଉଦ୍ୟମ ପରେ ବି ରେଜିଷ୍ଟ୍ରି ବିଭାଗ ତରଫରୁ ଶୁଣାଣି ପାଇଁ କୌଣସି ତାରିଖ ଦିଆଯାଇ ନାହିଁ। ଅଦାଲତ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ଵାରା ଜାରି ଅଗ୍ନିପଥ ବିଜ୍ଞପ୍ତିକୁ ବାତିଲ୍ କରିବା ଉଚିତ୍ ବୋଲି ଶର୍ମା କହିଛନ୍ତି। ଏହି ମାମଲାରେ ଆଉ ଏକ ଆବେଦନ ଆଡଭୋକେଟ୍ ବିଶାଲ ତିଓ୍ଵାରୀଙ୍କ ପକ୍ଷରୁ ଦାୟର କରାଯାଇଛି। ଅଗ୍ନିପଥ ଯୋଜନାର ସମୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଛନ୍ତି। କମିଟି ସ୍ଥିର କରିବେ ଯେ ଏହି ଯୋଜନା ଯୁବ ବର୍ଗଙ୍କ ଭବିଷ୍ୟତ ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ କଣ ପ୍ରଭାବ ପକାଇବ। ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ଆବେଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏକ ଆବେଦନ ଦାୟର କରାଯାଇଛି।

Related Posts