ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆଉ ବର୍ଷେ ୯ ମାସ ବଢ଼ିଲା

ଭୁବନେଶ୍ୱର,୨୨/୩ (ସତ୍ୟପାଠ ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲାରେ ଗଠନ ହୋଇଥିବା ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ୧ ବର୍ଷ ୯ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ ଅବଧିକୁ ମାର୍ଚ୍ଚ ୧୧, ୨୦୨୩ରୁ ଡିସେମ୍ବର ୨୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି କରିବାକୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିଲା। ତିନି ବ‌ର୍ଷ ଅବଧି ବୃଦ୍ଧି ପାଇଁ ଉଭୟ ରାଜ୍ୟ ଅନୁରୋଧ କରିଥିଲେ। କରୋନା କାଳରେ ଟ୍ରିବ୍ୟୁନାଲଙ୍କ ଶୁଣାଣି ପ୍ରଭାବିତ ହୋଇଥିବା କାରଣରୁ ଏହାର କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଯୁକ୍ତି ରଖିଥିଲେ।

ତେବେ ବ୍ୟାପକ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ଅବଧିକୁ ଆଉ ଏକ ବର୍ଷ ନଅ ମାସ ବୃଦ୍ଧି କରିଛନ୍ତି। ଯେହେତୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ନିଷ୍ପତ୍ତି ନେଇସାରିଛନ୍ତି, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ନିଷ୍ପତ୍ତିରୁ ଓହରି ଆସିଛନ୍ତି। ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଓକିଲ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ। ପ୍ରଥମ ତିନି ବର୍ଷର ଅବଧି (୨୦୧୮ରୁ ୨୦୨୧)ରେ ଟ୍ରିବ୍ୟୁନାଲ ଜଳବିବାଦ ମାମଲାକୁ ଦେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ। ୨୦୨୧ରେ ପୁନର୍ବାର ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା। ଯାହାକି ଚଳିତ ମାର୍ଚ୍ଚ ମାସ ୧୧ରେ ଶେଷ ହୋଇଥିଲା।

Related Posts