ପୁଅ ଓ ବୋହୁଙ୍କ ପାଇଁ କାଳ ପାଲଟିଲା ଶଶୁର

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ସହରରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ବାପା ନିଜ ହାତରେ ନିଜ ପୁଅ ଓ ବୋହୂଙ୍କ ଜୀବନ ନେଇଛି | ୭୪ ବର୍ଷୀୟ ବୃଦ୍ଧ ଏହି କାଣ୍ଡ ଘଟାଇବା କୁ ନେଇ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି | ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

ବର୍ଷେ ତଳେ ପୁଅ-ବୋହୂ ଗଢ଼ିଥିଲେ ନୂଆ ସଂସାର। ଗୁରୁଜନ ହିସାବରେ ବାପାଙ୍କ ପାଦ ଛୁଇଁ ଆର୍ଶୀବାଦ ମଧ୍ୟ ନେଇଥିଲେ। ହେଲେ ବର୍ଷେ ପୂର୍ବେ ପୁଅବୋହୁଙ୍କୁ ଆର୍ଶୀବାଦ ଦେବାକୁ ଉଠିଥିବା ହାତ ଏବେ ସେମାନଙ୍କ ଜୀବନ କଲନେଇଛି | ଘରୋଇ କଳହର ଏପରି ସାଂଘାତିକ ରୂପ ଦେଖିବାକୁ ମିଳିଛି ।

ନିତିଦିନିଆ ଝଗଡ଼ାରେ ଅତିଷ୍ଠ ହୋଇ ପଡ଼ିଥିବା ୭୪ ବର୍ଷୀୟ ବୃଦ୍ଧ ଶେଷରେ ଶୋଇଥିବା ଅବସ୍ଥାରେ ପୁଅ ବୋହୂଙ୍କୁ ଛୁରୀ ଭୁଷି ହତ୍ୟା କରିଛି | ପ୍ରଥମେ ପ୍ରଥମେ ନିଜେ ଘଟାଇଥିବା ଏପରି କାଣ୍ଡକୁ ଲୁଚାଇବାକୁ ଚେଷ୍ଠା କରୁଥିବା ବୃଦ୍ଧଜଣକ କିନ୍ତୁ ପରେ ସବୁ ମାନି ଯାଇଥିଲେ ।

ପୁଲିସ୍‌ ସୂଚନା ଅନୁଯାୟୀ, ୟୁପି କାନପୁରରେ ଦୀପ କୁମାର ତିୱାରୀ ନିଜ ୨୭ ବର୍ଷୀୟ ପୁଅ ଓ ୨୫ ବର୍ଷୀୟ ବୋହୂ ସହ ରୁହନ୍ତି। ବର୍ଷେ ପୂର୍ବେ ତାଙ୍କ ପୁଅ ଏକ ସାମୁହିକ ବିବାହ ଉତ୍ସବରେ ବିବାହ କରିଥିଲେ। ଏହାପରେ ପ୍ରାୟ ମାସେ ପର୍ଯ୍ୟନ୍ତ ଘରେ ସବୁ ଠିକ୍‌ଠାକ ଥିଲା। ହେଲେ ତା’ ପରେ ସମ୍ପତ୍ତି ଓ ଅନ୍ୟ କାରଣରୁ ବିବାଦ ବଢ଼ିବାରେ ଲାଗିଲା। ଏଥିରେ ଅତିଷ୍ଠ ଦୀପ ଉଭୟଙ୍କୁ ଶେଷ କରିବାକୁ ସୁଯୋଗ ଅପେକ୍ଷାରେ ଥିଲେ।

ବୁଧବାର ବିଳମ୍ବିତ ରାତିରେ ପୁଅବୋହୂ ଆଇପିଏଲ୍‌ ମ୍ୟାଚ ଦେଖି ଶୋଇ ପଡ଼ିଥିବା ବେଳେ କବାଟ ଦେବାକୁ ଭୁଲି ଯାଇଥିଲେ। ଏହାର ସୁଯୋଗ ନେଇ ବୃଦ୍ଧଜଣକ ଏକ ଛୁରୀରେ ଉଭୟଙ୍କ ଗଳା କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ବୃଦ୍ଧଜଣଙ୍କ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଛୁରୀ ସମେତ ନିଜ ଦେହରେ ଲାଗିଥିବା ରକ୍ତ ଛିଟାକୁ ଧୋଇ ଦେଇଥିଲେ। ଏହାପରେ ନିଜ ରୁମ୍‌ରେ ଶୋଇ ପଡ଼ିଥିଲେ।

ଗୁରୁବାର ସକାଳୁ ଘଟଣା ସମ୍ପର୍କରେ ଜାଣି ପାରି ପାଖ ପଡ଼ୋଶୀ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲ। ତେବେ ଚୋରି, ଲୁଟପାଟ ହୋଇ ନ ଥିବା ବେଳେ କିଏ ଓ କାହିଁକି ଏପରି ହତ୍ୟାକାଣ୍ଡ ଘଟାଇଲା ତାହା ପୁଲିସ୍‌ର ମୁଣ୍ଡବିନ୍ଧା ବଢ଼ାଇଥିଲା। ଏହାପରେ ବୃଦ୍ଧଙ୍କୁ ପଚରାଉଚରା କରିବାରୁ ପ୍ରଥମେ ପ୍ରଥମେ ମନା କରୁଥିବା ବୃଦ୍ଧଜଣକ ପରେ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ୱୀକାର କରିଥିଲେ। ପୁଲିସ୍‌ ଏହି ଘଟଣାରେ ତାଙ୍କୁ ବାନ୍ଧି ନେଇଛି।

ଏପରି କାଣ୍ଡ ଘଟାଇବା ପଛର କାରଣ ପଚାରିବାରୁ ମୁଁ ଅସହାୟ ଓ ଏକୁଟିଆ ହୋଇ ପଡ଼ିଥିଲି। ତେଣୁ ନିଜ ହାତରେ ନିଜ ପୁଅବୋହୂଙ୍କ ଜୀବନ ନେବାକୁ ବାଧ୍ୟ ହେଲି ବୋଲି ବୃଦ୍ଧଜଣକ କହିଛନ୍ତି।

Related Posts