ପ୍ରଶ୍ନ ପଚାରିବାରୁ ରାଗିଗଲେ ସୋର ବିଧାୟକ; ମୁହାଁମୁହିଁ ହେଲେ ବିଧାୟକ ଓ ପୂର୍ବତନ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ପ୍ରଶ୍ନ ପଚାରିବାରୁ ରାଗିଯାଇ ସୋରା ବିଧାୟକ ଦାଦାଗିରି କରିଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଧରିଛି । ତେବେ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇଥିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଅନନ୍ତପୁର ନିକଟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ତାଙ୍କୁ ଅଟକାଇ ନିର୍ବାଚନ ମଣ୍ଡଳୀର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପୂର୍ବତନ ବିଧାୟକଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି।

ପରେ ତାଙ୍କ କର୍ମୀମାନେ ସୁରେନ୍ଦ୍ର ପରମାଣିକଙ୍କୁ ଠେଲାପେଲା ମଧ୍ୟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ କହିଛନ୍ତି, ବିଧାୟକ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁ ନାହାନ୍ତି। ସାଧାରଣ ଲୋକ ତାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରିପାରୁ ନାହାନ୍ତି। ମୁଁ ପଚାରିବାରୁ ସୁରକ୍ଷାକର୍ମୀ ଓ ପୁଲିସ୍ ଲଗାଇ ମୋତେ ହଟାଇ ପଳାଇଗଲେ। ତାଙ୍କର ଏପରି ବ୍ୟବହାର ଗଣତନ୍ତ୍ର ପ୍ରତି ଘୋର ଅପମାନ। ଅନ୍ୟପଟେ ଜଣେ ବିଜେଡି କର୍ମୀ ଓ ବିଧାୟକଙ୍କ ସୁରକ୍ଷାକର୍ମୀ ପୂର୍ବତନ ବିଧାୟକଙ୍କୁ ଟାଣି ବାହାର କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Posts