ତିନି କୃଷି ଆଇନ ବିରୋଧରେ ଜୁନ୍ ୫ ରେ ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୫ ଜୁନ୍ ୨୦୨୦ କରୋନା ସଂକ୍ରମଣ ହେତୁ ଲକଡାଉନ୍ ସତ୍ତ୍ୱେ ବିବାଦୀୟ ତିନି କୃଷି ଅଧ୍ୟାଦେଶ ସଂସଦରେ ଉପସ୍ଥାପନ କରାଯାଇଥିଲା। ପରେ ସେପ୍ଟେମ୍ବର ମାସରେ ସଂସଦ ଦ୍ବାରା ଆଇନ ପ୍ରଣୟନ ହୋଇଥିଲା। ତେବେ ଏହାର ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୫ ରେ ତିନି କୃଷି ଆଇନ ବିରୋଧରେ ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ପାଳନ କରିବେ। ଆନ୍ଦୋଳନକାରୀ କୃଷକମାନେ ୪୭ ବର୍ଷ ପୂର୍ବେ ଜୟପ୍ରକାଶ ନାରାୟଣଙ୍କ ଐତିହାସିକ ଆନ୍ଦୋଳନର ସ୍ଲୋଗାନ ଦେଇ ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ବା ବିପ୍ଳବ ଦିବସ ପାଳନ କରି ବିରୋଧ ପ୍ରଦର୍ଶନ କରିବେ। ସଂଯୁକ୍ତ କିଷାନ ମୋର୍ଚ୍ଚାର ବିବୃତ୍ତି ଅନୁଯାୟୀ ଆନ୍ଦୋଳନକାରୀ କୃଷକ ମାନେ ଶନିବାର ଦିନ ବିଜେପି ନେତାଙ୍କ ଘର ଏବଂ କାର୍ଯ୍ୟାଳୟ ବାହାରେ ତିନି କୃଷି ଆଇନର କପି ଜାଳି ବିରୋଧ ପ୍ରଦର୍ଶନ କରିବେ। ଗତ ବର୍ଷ ଜୁନ୍ ୫ ରେ ଏହି ଅଧ୍ୟାଦେଶ ସଂସଦରେ ଆଗତ ହୋଇଥିବା ବେଳେ ସେପ୍ଟେମ୍ବରରେ ପାରିତ ହୋଇଥିବା ବେଳେ ନଭେମ୍ବରରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଏହି ଆଇନ ରଦ୍ଦ କରିବାକୁ ଦାବି କରି ଗତ ୬ ମାସ ଧରି ଧାରଣ ଦେଉଛନ୍ତି । ସେହିପରି ୧୯୭୪ ମସିହା ଜୁନ୍ ୫ ତାରିଖରେ ଜୟପ୍ରକାଶ ନାରାୟଣ ପାଟନାରେ “ସମ୍ପୂର୍ଣ୍ଣ କ୍ରାନ୍ତି”ର ଆହ୍ବାନ ଦେଇ ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ । ଏବଂ ଶେଷରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲା। ୨୦୧୭ ଜୁନ୍ ୬ ତାରିଖରେ ମଧ୍ୟପ୍ରଦେଶର ମାଣ୍ଡାସରରେ ପ୍ରଦର୍ଶନକାରୀ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇଥିଲେ। ପୁଲିସ ଗୁଳିରେ ୬ ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା। ଏହି ଅବସରରେ “ ସଂଯୁକ୍ତ କିଷାନ ମୋର୍ଚ୍ଚା ସମସ୍ତ କୃଷକଙ୍କୁ ନିବେଦନ କରିଛନ୍ତି ଯେ ମାଣ୍ଡାସରରେ ଏହି ଆନ୍ଦୋଳନର ଶହୀଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ। ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭୟ ନକରିବା ପାଇଁ କୃଷକଙ୍କୁ ଆହ୍ବାନ ଦେଇଛନ୍ତି।

Related Posts