(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ରର ମୋଦୀ ସରକାରଙ୍କ ଟିକା ରଣନୀତିକୁ ନେଇ ଏବେ ରାଜନୀତି ଜୋର ଧରିଛି। ରାଜ୍ୟ ଗୁଡିକରେ ଟିକାର ଅଭାବ ଦେଖାଦେଇଥିବା ବେଳେ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ମଧ୍ୟ ଟିକା ମିଳିପାରୁନଥିବାରୁ ଏବେ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏକାଠି ହୋଇ ମୋଦୀ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସପୋର୍ଟ କରୁଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବଂ ଜଗନ ରେଡ୍ଡୀଙ୍କ YSR କଂଗ୍ରେସ ଏବେ ଟିକା ଅଭାବକୁ ନେଇ ମୋଦୀ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛନ୍ତି। ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଚିଠି ଲେଖି ଆହ୍ବାନ ଦେଇଛନ୍ତି ଯେ ସ୍ଥିତି ଏବେ ରାଜ୍ୟ ବନାମ କେନ୍ଦ୍ର ହୋଇଛି। ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇଦେବା ପାଇଁ ସବୁ ମୁଖ୍ୟମନ୍ତ୍ରୀ ମାନେ ଏକ ସ୍ବରରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ସେ ଆହ୍ବାନ କରିଛନ୍ତି। ତେବେ ଜଗନଙ୍କ ଏହି ଏହି ଚିଠି ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, “ ମୁଁ ଜଗନ୍ ଙ୍କୁ ପଚାରିବାକୁ ଚାହୁଁଛି ଯେ : ଟିକା ପ୍ରସଙ୍ଗରେ ‘କେନ୍ଦ୍ର ବନାମ ରାଜ୍ୟ’ ପରିସ୍ଥିତି କିଏ ସୃଷ୍ଟି କରିଛି ? କିଏ ଏକପାଖିଆ ନିଷ୍ପତ୍ତି ନେଇଛି ଯେ ୧୮-୪୪ ବର୍ଷ ବୟସ୍କା ଟୀକାକରଣକୁ କେନ୍ଦ୍ର ସରକାର ଛାଡିବେ? ଏହି ନୀତି ଲାଗୁ କରିବା ପୂର୍ବରୁ କାହିଁକି ରାଜ୍ୟ ଗୁଡ଼ିକର ପରାମର୍ଶ ନେଲେ ନାହିଁ? ଆପଣ (ଜଗନ ମୋହନ ରେଡ୍ଡୀ) ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଏହି ପ୍ରଶ୍ନ ପଚାରୁ ନାହାନ୍ତି ? ”
ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରୀୟସ୍ତରରେ ଟିକା ସଂଗ୍ରହ ହେଉ ଏବଂ ସମସ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଟିକା ଦିଅନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଥିଲେ। ମହାମାରୀରୁ ମୁକୁଳିବା ପାଇଁ ସବୁ ରାଜ୍ୟ ଏକତ୍ର ହେବାକୁ ସେ ଆହ୍ବାନ ଦେଇଥିଲେ ।
ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସେ ଏ ନେଇ ଚିଠି ଲେଖିଥିବା ଦାବି କରିଛନ୍ତି। କିନ୍ତୁ ଏହି ଚିଠି ସାର୍ବଜନୀନ କରାଯାଇ ନାହିଁ ଯେତେବେଳକି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ତେବେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଲେଖିଥିବା ଏହି ଚିଠି ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍ କରି କହିଛନ୍ତି ଯେ, “ଓଡିଶାର ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ବହୁତ ଭଲ କଥା । ଯେତେବେଳେ ସମାନ ବିଚାରଧାରାର ପାର୍ଟି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ଟିକା କିଣିବାକୁ କହି ସାରିଛନ୍ତି। ଏବଂ ବିଗତ ୭ ବର୍ଷ ଧରି ସଂସଦରେ ବିଜୁ ଜନତା ଦଳ ବିଜେପିକୁ ସମର୍ଥନ କରିଆସୁଛି। ତେବେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏ ନେଇ ବୁଝାଇ ପାରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? “