ମଧ୍ୟପ୍ରଦେଶରେ ୩ହଜାର ଜୁନିଅର ଡାକ୍ତରଙ୍କ ସମୂହ ଇସ୍ତଫା – ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଭଳି ସଙ୍କଟ ଜନକ ପରିସ୍ଥିତିରେ ଡାକ୍ତର ମାନଙ୍କ ଅଭାବ ଦେଖାଦେଉଥିବା ବେଳେ ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ ୩ ହଜାର ଜୁନିଅର ଡାକ୍ତର ସମୂହ ଇସ୍ତଫା ଦେଇଛନ୍ତି। ଜୁନିୟର ଡାକ୍ତର ମାନେ ବିଭିନ୍ନ ଦାବିରେ ହରତାଳ କରିଥିଲେ। ଗୁରୁବାର ଦିନ ହାଇକୋର୍ଟ ସେମାନଙ୍କ ହରତାଳକୁ ଅସାମ୍ବିଧାନିକ ବୋଲି କହି ୨୪ ଘଣ୍ଟା ମଧ୍ୟରେ କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ପ୍ରାୟ ୩୦୦୦ ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି। ଜୁନିଅର ଡାକ୍ତରମାନଙ୍କ ଦାବି ହେଉଛି ତାଙ୍କର ଦରମା ବୃଦ୍ଧି ଏବଂ ଯଦି ତାଙ୍କ ପରିବାରରେ କାହାକୁ କରୋନା ହୁଏ ତେବେ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି କରିଥିଲେ। ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘ (MPJDA) ସଭାପତି ଡ ଅରବିନ୍ଦ ମୀନା କହିଛନ୍ତି ଯେ, ” ରାଜ୍ୟର ୬ ଟି ମେଡିକାଲ କଲେଜର ପ୍ରାୟ ୩ ହଜାର ଜୁନିଅର ଡାକ୍ତର ନିଜ ନିଜ ମେଡିକାଲ କଲେଜର ଡିନ୍‌ଙ୍କୁ ସାମୂହିକ ଇସ୍ତଫା ପତ୍ର ଦେଇଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ କହିଛନ୍ତି। ମୀନା କହିଛନ୍ତି ଯେ ରାଜ୍ୟ ସରକାର ତୃତୀୟ ବର୍ଷର ଜୁନିଅର ଡାକ୍ତରଙ୍କ ନାମଲେଖା ବାତିଲ କରିଛନ୍ତି। ଏହାଦ୍ୱାରା ସେମାନେ ଆଉ ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ। ପିଜି କରୁଥିବା ଏହି ଜୁନିୟର ଡାକ୍ତରମାନେ କହିଛନ୍ତି ତିନି ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳେ ଦୁଇ ବର୍ଷ କଲେ ଡିପ୍ଲୋମା ସାର୍ଟିଫିକେଟ ମିଳିବ। ତେଣୁ ଏନରୋଲମେଣ୍ଟ ରଦ୍ଦ କରିବା ନିଷ୍ପତ୍ତିକୁ ସେମାନେ ବିରୋଧ କରୁଛନ୍ତି। ସେ କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବ MPJDA । ମୀନା ଦାବି ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମେଡିକାଲ ଅଫିସର୍ସ ଆସୋସିଏସନ୍ ଏବଂ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନର ସଦସ୍ୟମାନେ ମଧ୍ୟ ତାଙ୍କ ଆନ୍ଦୋଳନରେ ଯୋଗଦେବେ। ସେ କହିଛନ୍ତି ଯେ ରାଜସ୍ଥାନ, ବିହାର, ଛତିଶଗଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ମହାରାଷ୍ଟ୍ର ଏବଂ ଏମସ୍ ରିଷିକେଶର ଜୁନିୟର ତଥା ବରିଷ୍ଠ ଡାକ୍ତରମାନେ ତାଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ମୀନା ଦାବି କରିଛନ୍ତି ଯେ ମେ ୬ ତାରିଖରେ ଜୁନିୟର୍ ଡାକ୍ତରଙ୍କ ଦାବି ପୂରଣ ନେଇ ସରକାରୀ କର୍ମଚାରୀମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ନହେବାରୁ ଜୁନିୟର ଡାକ୍ତର ମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।

Related Posts