ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ସିଜେପିକୁ ଜୋରଦାର ସମର୍ଥନ ଦେଖିବାକୁ ମିଳିଛି। ସହର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ‘କୋକରୋଚ୍ ଜନତା ପାର୍ଟି’ ର ନେତୃତ୍ୱରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ପ୍ରଦର୍ଶନ କରାଯିବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତ ୫ ଦିନ ମଧ୍ୟରେ ସହରର ବିଭିନ୍ନ ପୋଲିସ ଷ୍ଟେସନରେ ପ୍ରାୟ ୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବେଆଇନ ସଭାସମିତି, ଜନସାଧାରଣଙ୍କ ଗମନାଗମନରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ଆଦେଶ ଅମାନ୍ୟ କରିବା ଅଭିଯୋଗରେ ଏହି ମାମଲାଗୁଡ଼ିକ ରୁଜୁ କରାଯାଇଛି। ଏଫଆଇଆରରେ ନାମିତ ବ୍ୟକ୍ତିମାନଙ୍କୁ ନୋଟିସ୍ ଜାରି କରାଯାଇ ଛାଡ଼ିଦିଆଯାଇଛି। ଶିବାଜୀ ପାର୍କ, ଚୈତ୍ୟଭୂମି, ଚେମ୍ବୁର ଓ ଶିବସେନା ଭବନ ସମେତ ସହରର ଏକାଧିକ ସ୍ଥାନରେ ପୋଲିସର ବିନା ଅନୁମତିରେ ଏହି ସଭା ଓ ଶୋଭାଯାତ୍ରା କରାଯାଇଥିଲା। ଜୁଲାଇ ୧୯ ରେ ଦିଲ୍ଲୀର ଜନ୍ତର ମନ୍ତରରୁ ଆନ୍ଦୋଳନରତ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ସେହିପରି ଦାଦରସ୍ଥିତ ଚୈତ୍ୟଭୂମିଠାରେ ବିନା ଅନୁମତିରେ ହୋଇଥିବା ପ୍ରଦର୍ଶନକୁ ନେଇ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛି। ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ ସ୍ଲୋଗାନ ଦେଉଥିବା ଅନେକ ଆନ୍ଦୋଳନକାରୀଙ୍କୁ ପୋଲିସ ଗାଡ଼ିରେ ଉଠାଇ ନେଇଥିବା ଦେଖିବାକୁ ମିଳିଛି।