ମହାନଦୀରେ ବଢୁଛି ଜଳସ୍ତର; ହୀରାକୁଦର ୩୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ଆଜି ମୁଣ୍ଡୁଳି ଅତିକ୍ରମ କରିବ ବନ୍ୟାଜଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ହୀରାକୁଦରେ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ହୀରାକୁଦ ଡ୍ୟାମର ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ସେପଟେ ଆଜି ଏହି ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କରିବ ବୋଲି କୁହାଯାଇଛି । ଫଳରେ ରାଜ୍ୟରେ ଛୋଟ ଧରଣ ବନ୍ୟା ଆଶଙ୍କା ଥିବା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଲାଣି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରୟାସ କରାଯାଉଛି । ଅନ୍ୟପଟେ ହୀରାକୁଦର ଗେଟ୍‌ ଖୋଲିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଲାଣି । ବୀରମହାରାପୁର-ସୋନପୁର ରାସ୍ତାରେ ବନ୍ୟା ପାଣି ଚାଲୁଥିବା ଦେଖିବାକୁ ମିଳିଛି ।

ସେହିପରି ବିଜେପୁରରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଖାଲିସେତିକି ନୁହେଁ ମାଳତୀ ଯୋର ପୋଲ ବୁଡ଼ି ଯାଇଛି । ପ୍ରବଳ ବର୍ଷା କାରଣରୁ ସମ୍ବଲପୁର ଓ ବୀରମହାରାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ହୀରାକୁଦରେ ୨୮ଟିରୁ ଅଧିକ ଗେଟ୍ ଖୋଲା ହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ଏବେ ୩୪ଟି ଫାଟକ ଖୋଲାଯାଇଛି। ତେଣୁ ତଳମୁଣ୍ଡରେ ଥିବା ଗ୍ରାମ ଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନମାନଙ୍କୁ ନିର୍ଦେଶ ଦିଆଯାଇଛି ।

ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲକରି ଦିଆଯାଇଛି । ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ ସମସ୍ତଙ୍କୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗରେ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।

Related Posts