ବଢୁଛି ମହାନଦୀର ଜଳସ୍ତର; ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍, ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଏହା ଫଳରେ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସେପଟେ ମହାନଦୀରେ ଲଗାତାର ଜଳସ୍ତର ବଢିବା ଫଳରେ ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଛି । ଡ୍ୟାମ୍‌ରୁ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପାର୍ଶ୍ୱରୁ ୧୬ଟି ଗେଟ୍‌ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୯୧ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ଓ ନିଷ୍କାସିତ ହେଉଛି ୩ ଲକ୍ଷ ୪୯ ହଜାର ୩୦୩ କ୍ୟୁସେକ୍ ଜଳ ।ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି । ଗତ କାଲି ଅପେକ୍ଷା ଆଜି ନରାଜ ନିକଟରେ ଜଳସ୍ତର ବୃଦ୍ଧି ପାଇଛି । ଲଘୁଚାପ ଜନିତ ବର୍ଷା ହେଲେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଜଳସ୍ତର ବଢ଼ିଲେ ତଳିଆ ଅଂଚଳକୁ ବନ୍ୟା ବିପଦ ଥିବାରୁ ସଜାଗ ରହିବାକୁ କୁହାଯାଇଛି ।

Related Posts