ଖୋର୍ଦ୍ଧା ବରୁଣେଇଠାରେ ଖୋଲିବ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୋର୍ଦ୍ଧା ବରୁଣେଇଠାରେ ଖୋଲିବ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ । ତେବେ କେଟି ଗ୍ଲୋବାଲ ସ୍କୁଲ ଦ୍ବାରା ଆଇଆଇଜି କ୍ରିକେଟ୍ ଏକାଡେମୀ ନାମରେ ଏହା ଆରମ୍ଭ ହେବ। ଜୁନ୍ ଦ୍ବିତୀୟ ସପ୍ତାହରେ ଏହା ଖୋଲିବାର ସମ୍ଭାବନା ଅଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ରହିବା ସହ ଆବାସିକ ସୁବିଧା ରହିବ। ଏହି ଏକାଡେମୀ କ୍ରିକେଟ୍ କିଂବଦନ୍ତି ତଥା ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ନେତୃତ୍ବ ଏବଂ ପରାମର୍ଶରେ ଚାଲିବ। ରବିବାର ଆଝାରୁଦ୍ଦିନ୍ ବରୁଣେଇ ନିକଟରେ ଥିବା କେଟି ଗ୍ଲୋବାଲ ସ୍କୁଲଠାରେ ନିର୍ମାଣ ହେଉଥିବା ଏହି ଏକାଡେମୀର ଭିତ୍ତିଭୂମି ଦେଖିବା ସହ ସ୍କୁଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ବର୍ଷ ଏହା ଆରମ୍ଭ ହେବାର ଥିଲା, କିନ୍ତୁ କୋଭିଡ ଯୋଗୁଁ ଏହା ସ୍ଥଗିତ ରହିଥିଲା। ଆସନ୍ତା ମାସ ଦ୍ବିତୀୟ ସପ୍ତାହରେ ଏକାଡେମୀ ଆରମ୍ଭ କରିବାକୁ ଯୋଜନା ଥିବା ନେଇ ରବିବାର ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଝାରୁଦ୍ଦିନ କହିଛନ୍ତି। ସେ କହିଛନ୍ତି ମୁଁ ବହୁତ ଖୁସି ଏହି ଏକାଡେମୀ ମାଧ୍ୟମରେ ଓଡ଼ିଶାରୁ କିଛି ସୁପ୍ତ ପ୍ରତିଭା ସନ୍ଧାନ କରିପାରିବି। ଯେଉଁମାନେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାକୁ ସକ୍ଷମ ହେବେ।

ପୂର୍ବରୁ ଓଡ଼ିଶାରୁ ଦୁଇ ଜଣ ଦେବାଶିଷ ମହାନ୍ତି ଓ ଶିବ ସୁନ୍ଦର ଦାସ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ପାରିଛନ୍ତି। ତାଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶାର ଗାଁ ଗଣ୍ଡାରେ ରହିଛନ୍ତି। ହେଲେ ଗାଁରେ ଖେଳୁଥିବା ଏହି ଖେଳାଳିମାନେ ସହରକୁ ଆସି ପାରୁନାହାନ୍ତି କି ଆଗକୁ ବଢ଼ିବାର ବାଟ ପାଉନାହାଁନ୍ତି। ଫଳରେ ସେମାନେ ଆଗକୁ ବଢ଼ିବା ବଦଳରେ ସେହିଠାରେ ରହି ଯାଉଛନ୍ତି। ମୋର ଈଚ୍ଛା ଏହି ପରି ସୁପ୍ତ ପ୍ରତିଭାକୁ ଚିହ୍ନଟ କରି ଆଗକୁ ବଢ଼ାଇବା। ଏହି ଏକାଡେମୀ ମାଧ୍ୟମରେ ଏହା କରିପାରିବି ବୋଲି ଆଶା ରଖିଛି। ଏକାଡେମୀ ପାଇଁ ସବୁବେଳେ ମୋର ଓଡ଼ିଶା ଯିବାଆସିବା ଲାଗି ରହିବ। ଓଡ଼ିଶା ମୋ ପାଇଁ ଭାଗ୍ୟବାନ। ଏହି ଏକାଡେମି ନିଶ୍ଚିତ ଭବିଷ୍ୟତରେ ଭଲ କରିବ ବୋଲି ଆଶା ରଖିଛି’’ ବୋଲି ଆଝାରୁଦ୍ଦିନ କହିଛନ୍ତି। ହକିରେ ଓଡ଼ିଶା ଖେଳାଳି ଅଲିମ୍ପିକ୍ ପଦକ ଜିତିଛନ୍ତି। ଓଡ଼ିଶା ସରକାର ବି ସବୁ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଆଜାର୍ କହିଛନ୍ତି ।

Related Posts