ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳର ମହିମା ଗାଦି

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳିତ ବର୍ଷ ବିନା କୋଭିଡ କଟକଣାରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି ।ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳର ଯୋରନ୍ଦା ମହିମା ଗାଦି । ମେଳା ପାଇଁ ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାକୁ ମାନଙ୍କ ସୁଅ ଛୁଟିଛି । ପାଞ୍ଚରୁ ଛଅ ଦିନ ଧରି ମହିମା ଗାଦୀରେ ଜାରି ରହିବ ଯୋରନ୍ଦା ମେଳା । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ ମହିମା ଗାଦି ପୀଠରେ ଲାଗି ରହିଥିବା ବିବାଦର ଅସ୍ଥାୟୀ ସମାଧାନ ପରେ ଉଭୟ ସାଧୁ ଗୋଷ୍ଠୀ ଓ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । ମହିମା ଧର୍ମର ପରମ୍ପରା ମୁତାବକ ଆଜି ମାଘ ଶୁକ୍ଳ ଚତୁଦର୍ଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥିବା ବେଳେ ଆସନ୍ତା ତିନି ଦିନ ଧରି ପାଳନ କରିବେ ମହିମା ସାଧୁ ମାନେ । ମାତ୍ର ସ୍ଥାନୀୟ ଲୋକେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ଏହି ମେଳା । ଚଳିତ ବର୍ଷ ୧୫୦ ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମାହିମା ସାଧୁ । ସାରା ବିଶ୍ୱର କଲ୍ୟାଣ ପାଇଁ ଗାଦୀ ମନ୍ଦିର ପରିସରରେ ଅଖଣ୍ଡ ଧୂନୀରେ ଘୃତହୁତି କରୁଛନ୍ତି ମହିମା ସାଧୁ ।

ସେପଟେ ଆଜି ସନ୍ଧ୍ୟା ୫ଟା ସମୟରେ ମୁଖ୍ୟ ଗାଦି ମନ୍ଦିର ଚାରିଦ୍ୱାରରେ ଝାଡ଼ ଦୀପ ଲାଗିବାର କାର୍ଯ୍ୟକ୍ରମ ରହିଛି । ଫ୍ଲାରେ ପିତଳ ନିର୍ମିତ ବିଶାଳ କେ ଝାଡ଼ ଦୀପ ସବୁକୁ ପ୍ରସ୍ତୁତ କରୁଛନ୍ତି ବକଳଧାରି ସାଧୁ । ତେବେ କୌପନୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଉଚ୍ଛେଦ ଯୋଗୁଁ ମେଳାରେ ଅସହଯୋଗ ବିବାଦର ଆସ୍ଥାୟୀ ସମାଧାନ ପରେ କୌପନୀ ଗୋଷ୍ଠୀ ମନ୍ଦିରରେ ଅଖଣ୍ଡ ଦୀପ ଧୂନୀ ଜାଳୁଛନ୍ତି ।

ସେହିପରି ମନ୍ଦିର ନିକଟସ୍ଥ ଏକ ଅସ୍ଥାୟୀ ମଣ୍ଡପରେ ମହିମା ସାଧୁ ମାନେ ଭଜନ କୀର୍ତ୍ତନ କରୁଥିବା ପରିଲକ୍ଷିତ ହୋଇଛି । ମହିମା ପରମ୍ପରା ମୁତାବକ ଆଜି ପ୍ରଭୁ ପୂର୍ଣ୍ଣିମା ଓ ୫ତାରିଖରେ ଗୁରୁପୂର୍ଣିମା ବା ଅଗ୍ନିଉତ୍ସଵକୁ ପାଳିବେ ମହିମା ସାଧୁ । ଫଳରେ ସମଗ୍ର ଦେଶ ବ୍ୟାପି ମହିମା ସାଧୁ ସନ୍ୟାସୀ ,ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦିକୁ ଆସିଛନ୍ତି । ଆଜି ସକାଳ ସମୟରେ ମହିମା ସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି ।

ମୁଖ୍ୟ ଗାଦୀ ମନ୍ଦିରରେ ରୂପା କଳସରେ ଜଳ ଛିଞ୍ଚନ ଠାରୁ ମହିଳା ଆଲେଖଙ୍କ ଉଦ୍ଦେଶ୍ୟରେ ଅଗୁର କର୍ପୂର ଛିଞ୍ଚନ କରି ସାରିବା ପରେ ଚାମର ବ୍ୟଞ୍ଜନ ଆଦି କରିଛନ୍ତି । ସେପଟେ ବିଗତ ଦୁଇ ବର୍ଷ ଧରି କୋଭିଡ ଯୋଗୁଁ କଟକଣାରେ ପରେ ଚଳିତ ବର୍ଷ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଠ ଅଧିକ ହେବେ ବୋଲି ଅନୁମାନ କରାଯାଉଛି ।

ଜନ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନୀ, ମିନା ବଜାର, ଫାଷ୍ଟ ଫୁଡ଼ ଓ ଦୋଳି ଆଦି ବ୍ୟବସାୟର ପସରା ମେଲାଇଛନ୍ତି ବେପାରୀ । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ଏହି ମେଳାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

Related Posts