ନିନ୍ଦନୀୟ ବିଷୟବସ୍ତୁ ହଟାଇଲା ନାହିଁ ୱିକିପିଡିଆ, ୱେବସାଇଟକୁ ବ୍ୟାନ କଲେ ପାକିସ୍ତାନ ସରକାର

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ୱିକିପିଡିଆକୁ ବ୍ୟାନ କରି ଦିଆଯାଇଛି । ପାକିସ୍ତାନ ସରକାର ୱିକିପିଡିଆକୁ ନିଜ ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବା ପାଇଁ କହିଥିଲେ । ଏହି ବିଷୟବସ୍ତୁ ଗୁଡିକୁ ନେଇ ପାକିସ୍ତାନରେ ବେଶ ହଙ୍ଗାମା ହେବା ପରେ ଶହବାଜ ସରିଫ ସରକାର ୱିକିପିଡିଆକୁ ୪୮ ଘଣ୍ଟାର ମହଲତ ଦେଇଥିଲେ । ତେବେ ୱିକିପିଡିଆ, ପାକିସ୍ତାନ ସରକାରଙ୍କ ଦାବିକୁ ଅଣଦେଖା କରିଥିଲା, ଏହାପରେ ସାରା ଦେଶରେ ଏହି ୱେବସାଇଟକୁ ବ୍ୟାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପାକିସ୍ତାନର ଟେଲିକମ ରେଗୁଲେଟର ସାରା ଦେଶରେ ୱିକିପିଡିଆ ସେବାକୁ ୪୮ ଘଣ୍ଟା ପାଇଁ ସ୍ଲୋ କରିଥିଲା । ଏହାସହ ନିନ୍ଦନୀୟ ବିଷୟବସ୍ତୁକୁ ହଟା ନଗଲେ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରାଯିବ ବୋଲି ଚେତାବନୀ ଦେଇଥିଲା । ଏହି ମାମଲାରେ ପାକିସ୍ତାନ ହାଇକୋର୍ଟ ମଧ୍ୟ ଟେଲିକମ ରେଗୁଲେଟରୀକୁ ୱିକିପିଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ ଅନୁସାରେ, ୱିକିପିଡିଆକୁ ଏହି ମାମଲାରେ ନିଜ ପକ୍ଷ ରଖିବା ପାଇଁ ନୋଟିସ ଜାରି କରାଯାଇଥିଲା । ତେବେ ୱେବସାଇଟ୍ ନୋଟିସର କୌଣସି ଜବାବ ଦେଇ ନଥିଲା ଏବଂ ନିନ୍ଦନୀୟ ବିଷୟବସ୍ତୁକୁ ମଧ୍ୟ ହଟାଇ ନଥିଲା । ପାକିସ୍ତାନ ଟେଲିକମ ବିଭାଗ ଅନୁସାରେ, ୱିକିପିଡିଆ ବିବାଦୀୟ ବିଷୟବସ୍ତୁକୁ ହଟାଇବା ପରେ ଦେଶରେ ପୁଣି ଥରେ ସେବା ପ୍ରଦାନ କରିପାରିବ ।

ଅନ୍ୟପଟେ ୱିକିମିଡିଆ କହିଛି ପାକିସ୍ତାନରେ ୱିକିପିଡିଆକୁ ବ୍ୟାନ କରାଯିବା ଦ୍ୱାରା ଦୁନିଆର ପଞ୍ଚମ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ମାଗଣାରେ ଜ୍ଞାନ ପାଇବାରୁ ବଞ୍ଚିତ ହେବ ।

Related Posts