
ଟୋକିଓ: ଆଖି ବୁଜିଲେ ଦୁନିଆର ସବୁଠାରୁ ବୟସ୍କ ମହିଳା | ୧୧୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା। ତାନାକା ୧୯୦୩ ମସିହା ଜାନୁଆରୀ ୨ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସ୍ଥାନ ହେଉଛି ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁଓକା। ୧୯୦୩ ମସିହାରେ ରାଇଟ୍ ବ୍ରଦର୍ସ ପ୍ରଥମଥର ପାଇଁ ବିମାନରେ ଉଡ଼ିଥିଲେ। ସେହିପରି ୧୯୦୩ରେ ମାରି କ୍ୟୁରୀ ପ୍ରଥମ ମହିଳା ଭାବେ ନୋବେଲ ପୁରସ୍କାର ପାଇଥିଲେ। ସେହି ସମୟରେ ଜନ୍ମ ଗ୍ରହଣ କରିଥିବା ତାନାକା ଅନେକ ଘଟଣାର ମୂକସାଖୀ ରହିଥିଲେ। ଆଜି ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି।
ତାନାକା ସବୁବେଳେ ଶାନ୍ତ ମିଜାରେ ରହୁଥିଲେ। ବୟସ ତାଙ୍କୁ ୧୧୯ ହୋଇଥିଲେ ମଧ୍ୟ ସେ ସୁସ୍ଥ ରହିଥିଲେ। ଗୋଟିଏ ନର୍ସିଂ ହୋମରେ ସେ ରହିବା ସହ ବୋର୍ଡ ଗେମ ଖେଳୁଥିଲେ ଓ ଗଣିତ ସମସ୍ୟାର ସମାଧାନ କରୁଥିଲେ। ସେ ଚକଲେଟ ଖାଇବାକୁ ବେଶ ପସନ୍ଦ କରିନ୍ତି। ସୋଢ଼ା ବି ପିଅନ୍ତି।
ଯୁବାବସ୍ଥାରେ ତାନାକା ନୁଡୁଲ୍ସ ଦୋକାନ ଠାରୁ ଆରମ୍ଭ କରି ରାଇସ କେକ୍ ଷ୍ଟୋର ଭଳି ବ୍ୟବସାୟ ମଧ୍ୟ କରୁଥିଲେ କେନ୍। ୧୯୨୨ରେ ସେ ହିଡେଓ ତାନାକାଙ୍କୁ ବିବାହ କରିଥିଲେ। ତାଙ୍କର ୪ ପିଲା ଥିଲେ ଓ ସେ ଆଉ ଜଣଙ୍କୁ ପୋଷ୍ୟ ଭାବେ ମଧ୍ୟ ଗ୍ରହଣ କରିଥିଲେ। ୨୦୨୧ ଅଲିମ୍ପିକ୍ସରେ ସେ ହ୍ୱିଲ ଚେୟାରରେ ଟ୍ରଚ ରିଲେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ମହାମାରୀ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା।
୨୦୧୯ରେ ଗିନିଜ ବୁକ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ମହିଳା ମାନ୍ୟତା ମିଳିଥିଲା। ଏହା ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ବଡ଼ ଖୁସିର ଦିନ। ସେତେବେଳେ ତାନାକାଙ୍କୁ ୧୧୬ ବର୍ଷ ବୟସ ହୋଇଥିଲା। କେନ୍ ତାନାକାଙ୍କ ମୃତ୍ୟୁ ଖବରକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ଟ୍ୱିଟ୍ କରାଯାଇଛି। କେନ୍ ତାନାକା ସବୁବେଳେ ସକାଳ ୬ଟାରୁ ଉଠୁଥିଲେ। ମଧ୍ୟାହ୍ନ ସମୟରେ ସେ ଗଣିତ ପଢ଼ିବା ସହ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ। ହେଲେ ଏପ୍ରିଲ ୧୯ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ଅଧିକ ସମୟ ବଞ୍ଚିଥିବା ରେକର୍ଡ ଫ୍ରାନ୍ସର ଜେ ଲୋଉସି କାଲମେଣ୍ଟଙ୍କ ନାଁରେ ରହିଛି। ସେ ୧୨୨ ବର୍ଷ ୧୬୪ ଦିନ ବଞ୍ଚିଥିଲେ। ତେବେ ୧୯୯୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପରେ କେନ୍ ଦ୍ୱିତୀୟ ମହିଳା ଭାବେ ସବୁଠାରୁ ଅଧିକ ବଞ୍ଚିବାର ରେକର୍ଡ କରିଛନ୍ତି |