
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାର ଜଣେ ଯୁବକ ମଦ ନିଶାରେ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଜଣେ ଯୁବକ ବିଳମ୍ବିତ ରାତି ୨ଟା ୩୦ମିନିଟ୍ରେ ୧୦୦କୁ କଲ୍ କରି ପୋଲିସକୁ ଦୁଇ ବୋତଲ ମଦ ଆଣିବାକୁ କହିଥିଲେ । ଏଭଳି ଘଟଣା ତେଲଙ୍ଗାନା ଭିକାରାବାଦ ଜିଲ୍ଲାରେ ଘଟିଛି । ସେପଟେ ହାଇଦ୍ରାବାଦରେ ରହୁଥିବା ଦୌଲତାବାଦ ନିବାସୀ ମଧୁ ନାମକ ଜଣେ ଯୁବକ ୧୦୦ ଡାଏଲ୍ କରି କହିଥିଲେ ଯେ, ତାଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିବାକୁ ଧମକ ଦେଉଛନ୍ତି । ତାଙ୍କ ନିକଟରେ ପାଟ୍ରୋଲିଂ ଟିମ୍ ପହଞ୍ଚିବା ପରେ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ପାଇଥିଲେ । ଯେତେବେଳେ ପୋଲିସ କର୍ମଚାରୀ ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ ସେତେବେଳେ ଯୁବକ ଜଣଙ୍କ ତାଙ୍କୁ ଦୁଇ ବୋତଲ ବିୟର ଆଣିବାକୁ କହିଥିଲେ ।
ଏହାପରେ ପୋଲିସ ସଂପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କର କାଉନସେଲିଂ କରି ଛାଡି ଦିଆଯାଇଥିଲା । କିଛି ଦିନ ତଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ମଧ୍ୟପ୍ରଦେଶ ଉଜ୍ଜୈନରେ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏବଂ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ ପଠାଇଥିଲେ । ସେ ଲେଖିଥିଲେ ଯେ, ଦୁଇ ବୋତଲ ମଦ ପିଇବା ପରେ ମଧ୍ୟ ତାଙ୍କୁ ନିଶା ହୋଇନଥିଲା । ସେ ଲିଖିତ ଅଭିଯୋଗ କରିବା ସହ ରହିଯାଇଥିବା କିଛି ମଦ ସହ ବୋତଲକୁ ମଧ୍ୟ ପ୍ରମାଣ ଭାବେ ଉପସ୍ଥାପିତ କରିଥିଲେ । ଯେତେବେଳେ ତାଙ୍କ ଅଭିଯୋଗ ଉପରେ କୌଣସି ଯାଞ୍ଚ ହୋଇନଥିଲା ସେ କହିଥିଲେ ଯେ ସେ ଗ୍ରାହକ ଫୋରମ୍ ନିକଟକୁ ଯିବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।