
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ୱ ବୃଦ୍ଧି ପାଇଁ ମଦ ମୂଲ୍ୟକୁ ୨୦-୨୫% ବୃଦ୍ଧି କଲେ ତେଲେଙ୍ଗାନା ସରକାର । ରାଜ୍ୟର ରାଜସ୍ୱକୁ ବୃଦ୍ଧି କରିବା ଲକ୍ଷ୍ୟରେ ତେଲେଙ୍ଗାନାର କେସିଆର ସରକାର ମଦ ଦରକୁ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରି ଦେଇଛନ୍ତି। ସମସ୍ତ ବ୍ରାଣ୍ଡ ମଦର ମୂଲ୍ୟକୁ ବୃଦ୍ଧି କରାଯାଇଛି ଏବଂ ଏହା ସରକାରଙ୍କୁ ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ମଦର ଏହି ଦର ବୃଦ୍ଧି ପରେ ସରକାର ଏବେ ବାର୍ଷିକ ୬,୦୦୦ କୋଟିରୁ ୭,୦୦୦ କୋଟିର ଅତିରିକ୍ତ ରାଜସ୍ୱ ଆୟ କରିବେ ବୋଲି ଲକ୍ଷ୍ୟ ରଖାଯାଇଛି।
୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ମଦ ବିକ୍ରିରୁ ୩୦.୦୦୦ କୋଟି ଟଙ୍କା ରୋଜଗାର କରିଥିଲା ଏବଂ ଟିକସ ଆୟ ୧୨,୦୦୦ କୋଟି ଟଙ୍କା ବୋଲି ଜଣାଯାଇଛି। ଏବେ, କର୍ତ୍ତୃପକ୍ଷ ୧,୦୦୦ ମିଲି ମଦର ମୂଲ୍ୟ ୧୨୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ମୂଲ୍ୟ ୪୯୫ ଟଙ୍କାରୁ ୬୧୫ ଟଙ୍କାକୁ ବୃଦ୍ଧି ପାଇଛି। ‘ନିପ୍’ ବୋତଲର ମୂଲ୍ୟରେ ୨୦ ଟଙ୍କାର ବୃଦ୍ଧି କରା ଯାଇଥିବା ବେଳେ ସମସ୍ତ ପ୍ରକାରର ବିୟରର ମୂଲ୍ୟରେ, ସର୍ବନିମ୍ନ ୧୦ ଟଙ୍କା ବୃଦ୍ଧି ହୋଇଛି।