ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୋହା-ବେଙ୍ଗାଲୁରୁର ଏକ ବିମାନ ଶନିବାର ବିଳମ୍ବିତ ରାତିରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ମିଳିଥିବା ସୂଚନା ମୁତାବକ ଜଣେ ମଦ୍ୟପ ଯାତ୍ରୀ ଏଭଳି ହଙ୍ଗାମା ସୃଷ୍ଟି କରିଥିଲେ ଯେ ପାଇଲଟଙ୍କୁ ହଠାତ୍ ଏହି ନିଷ୍ପତ୍ତି ନେବାକୁ ପଡିଥିଲା । ପୁଲିସ କହିଛି ଯେ କେରଳର ବାସିନ୍ଦା ସରଫୁଦ୍ଦିନ ଉଲୱାରଙ୍କୁ ଗିରଫ କରାଯାଇଛି ଏବଂ ଭାରତୀୟ ଦଣ୍ଡବିଧାନ ସଂହିତା ଓ ବିମାନ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ରବିବାର ଦିନ ମହାନଗର ନିଗମ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ପୁଲିସ କହିଛି ଯେ ଉଲୱାର ପ୍ରଚୁର ମଦ୍ୟପାନ କରିଥିଲେ । ଆଉ ବିମାନ ଭିତରେ ଜଣେ ଏୟାର ହୋଷ୍ଟେସ ତାଙ୍କୁ ଆଉ ମଦ୍ୟପାନ ନ କରିବାକୁ ଅନୁରୋଧ କରିଥିବାବେଳେ ସେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଅଧିକାରୀ କହିଛନ୍ତି ଯେ ସେ ସାଥୀ ଯାତ୍ରୀମାନଙ୍କ ସହିତ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଯେଉଁମାନେ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ସହ ଝଗଡା କରିଥିଲେ । ତାଙ୍କ ହଙ୍ଗାମା ଯୋଗୁଁ ବିମାନକୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିବାକୁ ପାଇଲଟ ବାଧ୍ୟ ହୋଇଥିଲେ ବୋଲି ପୁଲିସ କହିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନ ଅବତରଣ ଓ଼ରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ କର୍ମଚାରୀ ଉଲୱାରଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।