ଶେଷରେ ଗିରଫ ହେଲେ ଯୁବତୀ ୪୨୦; ଡିପିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ୧୦ରୁ ଅଧିକ ଯୁବକଙ୍କ ଠାରୁ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଶେଷରେ ଧରା ପଡିଛନ୍ତି ଫେସବୁକ୍ ସୁନ୍ଦରୀ । କଅଁଳ କଥା କହି, ଫେସବୁକରେ ବନ୍ଧୁତା କରୁଥିଲେ । କାହାକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା, ଠକୁଥିବା ରାକେଟର ମାଷ୍ଟରମାଇଣ୍ଡ ଜଣେ ମହିଳାଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ଉକ୍ତ ଯୁବତୀ ଜଣକ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ନକଲି ଫଟୋ ଓ ନକଲି ନାଁ ବ୍ୟବହାର କରି ୧୦ରୁ ଅଧିକ ଯୁବକଙ୍କୁ ଚୁନ ଲଗାଇଥିବା ଅଭିଯୋଗରେ ଯୁବତୀଙ୍କୁ ଗିରଫ କରିଛି ପୁଲିସ୍‌। ଏହା ସାଙ୍ଗକୁ ନଗଦ ୧ ଲକ୍ଷ ଟଙ୍କା ଏବଂ ଏକାଧିକ ଆଇଡିକାର୍ଡ ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଉକ୍ତ ଯୁବତୀଙ୍କ ନାଁ ହେଉଛି ପ୍ରିୟଙ୍କା ପ୍ରିୟଦର୍ଶୀନି ପରିଡ଼ା। ତାଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ ଅଞ୍ଚଳରେ। ସେ ଫେସ୍‌ବୁକ୍ ଓ ହ୍ୱାଟ୍ସଆପ୍‌ ଜରିଆରେ ଅନେକ ଫେକ୍ ଆଇଡି ଖୋଲି ସୁନ୍ଦରୀ ଯୁବତୀମାନଙ୍କ ଫଟୋ ରଖୁଥିଲେ। ଫଟୋ ସାଙ୍ଗକୁ ନାଁ ବି ପରିବର୍ତ୍ତନ କରୁଥିଲେ। ସେ କେତେବେଳେ ନିଜକୁ ଡାକ୍ତର କହି ତ ଆଉ କାହାକୁ ବ୍ୟୁଟିସିଆନ ତ ପୁଣି ଆଉ କେତେବେଳେ ଶିକ୍ଷୟତ୍ରୀ , ଆଇଟି ପ୍ରଫେସ୍‌ନାଲ୍ କହି ସମ୍ପର୍କ ବଢ଼ାଉଥିଲେ । ଏମିତି କରି ଯୁବକମାନଙ୍କୁ ପ୍ରେମ ନିବେଦନ କରୁଥିଲେ। ତାଙ୍କ ପ୍ରେମ ଜାଲରେ ୧୦ରୁ ଅଧିକ ଯୁବକ ପଡ଼ିଥିବାର ସୂଚନା ମିଳିଛି। ଥରେ ଯୁବକମାନେ ତାଙ୍କ ଜାଲରେ ପଡ଼ିବା ପରେ ସେ ବିଭିନ୍ନ ପ୍ରକାରର ବାହାନା କରି- କେତେବେଳେ ପାଠପଢ଼ା ପାଇଁ ତ କେବେଳେ ଘରର ଅସୁବିଧା ବା ଦେହ ଖରାପ କହି ଟଙ୍କା ଲୁଟୁ କରୁଥିଲେ। ଏମିତି ଠକେଇ କରି ପାଖାପାଖି ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣାପଡିଛି। ଟଙ୍କା ପାଇ ସାରିବା ପରେ ସେ ଆକାଉଣ୍ଟ ବନ୍ଦ କରି ଦେଉଥିଲା। କେହି ଭିଡିଓ କଲ୍‌ କଲେ ସେ ଫୋନ୍ ଉଠାଉ ନଥିଲେ।

ଏହି ଯୁବକମାନଙ୍କ ମଧ୍ୟରୁ ଜଣଙ୍କ ଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଚୂନ ଲଗାଇଥିବା ଜଣାପଡିଛି। ନିଜକୁ ଡାକ୍ତରୀ ଛାତ୍ରୀ ଆଦ୍ୟାଶା ସାମନ୍ତରାୟ ଭାବେ ପରିଚୟ ଦେଇ ସେହି ଯୁବକ ଜଣଙ୍କୁ ବିଭିନ୍ନ କଥା କହି ଟଙ୍କା ଲୁଟି ଥିଲେ। କିନ୍ତୁ ଯୁବକ ଜଣକର ସନ୍ଦେହ ବଢିବାରୁ ଖୋଳତାଡ଼ ପରେ ପ୍ରିୟଙ୍କାଙ୍କ ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲେ ଯୁବକ ଜଣଙ୍କ। ଏହା ପରେ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ତଦନ୍ତ କରି ପ୍ରିୟଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି। ଏହି ଯୁବତୀଙ୍କ ଦ୍ୱାରା ଲୁଟ୍‌ର ଶିକାର ହୋଇଥିବା ଅନ୍ୟ ଯୁବକମାନଙ୍କୁ ଥାନାରେ ଏତଲା ଦେବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related Posts