୫.୪୭ କୋଟି ଟଙ୍କାର ମଦ ବୋତଲ ଉପରେ ବୁଲଡୋଜର ଚଲାଇଲେ ଆନ୍ଧ୍ରପ୍ରଦେଶ ପୋଲିସ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ପୋଲିସ ୨.୪୩ ଲକ୍ଷ ମଦ ବୋତଲକୁ ନଷ୍ଟ କରି ଦେଇଛନ୍ତି । ଏକ ବୁଲଡୋଜର ଚଲାଇ ତେଲେଙ୍ଗାନାରୁ ବେଆଇନ ଭାବେ ଆସିଥିବା ମଦ ବୋତଲ ଗୁଡ଼ିକୁ ନଷ୍ଟ କରିଦେଉଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫.୪୭ କୋଟି ଟଙ୍କା ହେବ ।

ପୋଲିସର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ଏନଟିଆର ଜିଲାର ଅଧିକାରୀଙ୍କ ଦ୍ୱାରା ଚଢ଼ାଉ ବେଳେ ଏସବୁ ଜବତ କରାଯାଇଥିଲା।

ବିଜୟୱାଡା ପୋଲିସ କମିଶନର କାନ୍ଥି ରାଣା ଟାଟା କହିଛନ୍ତି ଯେ ଏହି ମଦ ବୋତଲ ତେଲେଙ୍ଗାନାରୁ ବେଆଇନ ଭାବେ ଅଣାଯାଉଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶ ପୋଲିସ ସହରର ଉପକଣ୍ଠରେ ଥିବା ଚେକ ପୋଷ୍ଟରେ ଚଢ଼ାଉ କରିଥିଲା।

ଅନ୍ୟ ରାଜ୍ୟରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ମଦ ଚାଲାଣ ଖବର ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହା ପୂର୍ବରୁ ସ୍ପେଶାଲ ଏନଫୋର୍ସମେଣ୍ଟ ବ୍ୟୁରୋ କୁର୍ନୁଲରୁ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ୬୬ ହଜାର ବୋତଲ ମଦ ଜବତ କରିଥିଲେ॥

ଗତ ଜୁନ୍‌ରେ ଆନ୍ଧ୍ରପ୍ରଦେଶ ପୋଲିସ ଏଲୁରୁ ଜିଲାରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ୩୩,୯୩୪ ବେଆଇନ ମଦ ବୋତଲ ନଷ୍ଟ କରି ଦେଇଥିଲେ। ଏଲୁରୁ ପୋଲିସ ଅଧୀକ୍ଷକ (ଏସପି) ରାହୁଲ ଦେବ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ରାଜ୍ୟ ବାହାରୁ ଆସୁଥିବା ବେଆଇନ ମଦ ଉପରେ ଆମେ କଟକଣା ଲଗାଇଛୁ। ଆମେ ଗତ ଦୁଇ ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଆମେ ସୀମା ଉପରେ ଚଢ଼ାଉ ଜାରି ରଖିଛୁ।

Related Posts