କରୋନାର ଦୁଇ ଡୋଜ୍ ଟିକା ନେବା ପରେ ବି ୨୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହେଉନି ଆଣ୍ଟିବଡି : ଆଇଏଲଏସ୍ ନିର୍ଦେଶକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :   ଆଇଏଲଏସ୍ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ଏକ ଚିନ୍ତାଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କୋଭିଡ୍-19ର ଦୁଇ ଡୋଜ୍ ଟିକା ନେବା ପରେ ମଧ୍ୟ ୨୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉନି। ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା ସେଥିରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା, ଅନ୍ୟ ସାମ୍ପୁଲ ଗୁଡିକ ଅନ୍ୟ ଭାରିଏଣ୍ଟର ବୋଲି ଜଣା ପଡ଼ିଥିଲା । ଆଶ୍ବସ୍ତିର କଥା ହେଉଛି ଅନ୍ୟ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇ ନାହିଁ ବୋଲି ସେ କହିଛନ୍ତି। ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର ସ୍ଥାନରେ ରହିଛି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି ବୋଲି ଡକ୍ଟର ପରିଡା ସୂଚନା ଦେଇଛନ୍ତି। 

ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ବର୍ତ୍ତମାନ ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି। ଖୁବଶୀଘ୍ର ଭାରତ ସରକାର ଏ ନେଇ କିଛି ବଡ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ସମ୍ଭାବ୍ୟ ତୃତୀୟ ତରଙ୍ଗ ଏବଂ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଅଧିକ ଲୋକ ଏକତ୍ର ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ ବୋଲି ସେ କହିଛନ୍ତି । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ଏଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ ବୋଲି ସେ ସତର୍କ କରାଇଛନ୍ତି। 

ରାଜ୍ୟରେ କରୋନାର ସ୍ଥିତି ଉପରେ ସୂଚନା ଦେଇ ସେ କହିଛନ୍ତି, ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକର ସ୍ଥିତି ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି ଏବଂ ମହାରାଷ୍ଟ୍ରରେ ଟିକେ ବଢିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ। ସେହିପରି ରାଜଧାନୀ ଭୁବନେଶ୍ବରରେ ଅଧିକ ଗହଳି ରହୁଛି ଏବଂ ଅଧିକ ଲୋକଙ୍କ ସମାଗମ ହେଉଛି, ଯେଉଁଥିପାଇଁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି ବୋଲି ସେ କହିଛନ୍ତି। 

Related Posts