ଜମିଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇର ପରିବାରକୁ ସଫା କରିଦେଲା ସାନଭାଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମିଜମା ବିବାଦକୁ କେନ୍ଦ୍ର କରି ବଡ଼ ଭାଇର ପରିବାରକୁ ସଫା କରିଦେଲା ସାନଭାଇ । ତେବେ ଜାଗାବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ କଳହର ଏକ ଭୟାନକ ପରିଣତି ମାହାଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି । ବଡ଼ଭାଇର ୫ ଜଣିଆ ପରିବାରକୁ ପୂରା ସଫା କରିଦେଇଛି ସାନଭାଇ । ଭାଇ ଭାଉଜ, ଝିଆରୀ ଏବଂ ଦୁଇ ନାବାଳକ ପୁତୁରାଙ୍କୁ ହତ୍ୟା କରିବା ପରେ ସାନଭାଇ ଏକ ଭିଡ଼ିଓ ଜାରି କର ହତ୍ୟାକାଣ୍ଡକୁ ସ୍ୱୀକାର କରିଛି । ଏହାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମାହାଙ୍ଗା ଥାନା କୁସୁପୁରର ସାହୁ ପରିବାରରେ ଘଟିଛି ଏହି ବୀଭତ୍ସ ହତ୍ୟା । ଦୁଇ ଭାଇ ଅଲେଖ ଚନ୍ଦ୍ର ସାହୁ ଏବଂ ଶିବ ପ୍ରସାଦ ସାହୁଙ୍କ ମଧ୍ୟରେ ଜାଗାବାଡ଼ିକୁ ନେଇ ବିବାଦ ଥିଲା । ଅଧିକାଂଶ ସମୟ ଦୁଇ ପରିବାର ମଧ୍ୟରେ ସେଥିପାଇଁ କଳି ଲାଗୁଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସେଥିରେ ଉତ୍ତ୍ୟକ୍ତ ହୋଇ ବଡ଼ଭାଇ ଅଲେଖ ସାହୁ(୪୮), ଭାଉଜ ରଶ୍ମିରେଖା(୪୦), ଝିଆରୀ ସ୍ମୃତି ସନ୍ଧ୍ୟା(୧୯), ଦୁଇ ପୁତୁରା ସ୍ମୃତି ସାଇ(୧୨) ଏବଂ ସ୍ମୃତି ସୌରଭ(୧୦)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଶିବ ସ୍ୱୀକାର କରିଛି ।

ହତ୍ୟାପରେ ଘର ବାହାରପଟୁ ସେ ତାଲା ପକାଇ ଦେଇଥିଲା । ଆଜି ସକାଳେ ଅଲେଖ ସାହୁଙ୍କ ପରିବାର କେହି ଘରୁ ନ ବାହାରିବା ଏବଂ ଅଲେଖଙ୍କର ଛୋଟିଆ ତେଜରାତି ଦୋକାନ ନ ଖୋଲିବାରୁ ସମସ୍ତଙ୍କର ସନେ୍ଦହ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଟୁପୁରୁଟାପର ଚାଲିଥିବା ସମୟରେ ସାନଭାଇ ଶିବର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା । ଭାଇ ପରିବାରକୁ ମାରିଥିବା ସ୍ୱୀକାର କରି ସେ ଏହି ଭିଡ଼ିଓ ଜାରି କରିଥିଲା । ସେଥିରେ କହିଥିଲା- ମୋର ପାରିବାରିକ କଳହ ସକାଶେ ମୋ ଭାଇ ଓ ମୋ ଭିତରେ ତିକ୍ତତା ଲାଗି ରହୁଥିଲା । ସେମାନେ ମତେ ବହୁତ ହଇରାଣ ହରକତ କରୁଥିଲେ । କାଲି ରାତିରେ ଭାଇ ଭାଉଜ ପିଲାମାନେ ସମସ୍ତେ ମିଶିକି ମତେ ମାରିଲେ ।

ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରିଦେଇଛି । ବର୍ତ୍ତମାନ ମୁଁ ବାଲିଚନ୍ଦ୍ରପୁର ଥାନାରେ ସରେଣ୍ଡର କରିବାକୁ ଯାଉଛି । କାହିଁକି ନା ମୋର ମାହାଙ୍ଗାକୁ ଯିବା ପାଇଁ କୌଣସି ସାଧନ ନାହିଁ । ଆଇନ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି । ଭିଡ଼ିଓରେ ଶିବ ମୁହଁରୁ ଏହି ନିର୍ମମ ହତ୍ୟାକାଣ୍ଡ ସ୍ୱୀକାରୋକ୍ତି ଶୁଣି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ମାହାଙ୍ଗା ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ୫ ଟି ଯାକ ଶବ ଜବତ କରିଥିଲା । ସେପଟେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts