(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ନିଜସ୍ୱ ଜାତଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କ୍ଷମତା ଦେଉଥିବା ଓବିସି ସଂଶୋଧନ ବିଲ୍ ( ସମ୍ବିଧାନ ୧୨୭ ତମ ସଂଶୋଧନ ବିଲ୍, ୨୦୨୧) ମଙ୍ଗଳବାର ଦିନ ଲୋକସଭାରେ ପାସ୍ ହୋଇଯାଇଛି। ଏହି ଓବିସି ସଂଶୋଧନ ବିଲ୍ ସପକ୍ଷରେ ଲୋକସଭାରେ ଉପସ୍ଥିତ ଥିବା ସମସ୍ତ ୩୮୫ ସାଂସଦ ଭୋଟ ଦେଇଛନ୍ତି।
ଏହି ବିଲ୍ ଉପରେ ଆଲୋଚନା ବେଳେ ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ସରକାର ଏହି ବିଲ୍ ଆଣି ଶାହାବାନୋଙ୍କ ପରମ୍ପରାକୁ ବଜାୟ ରଖିଛନ୍ତି। ସେ କହିଛନ୍ତି, ” ଏହି (ବିଜେପି) ସରକାର ଓବିସି ପାଇଁ ନୁହେଁ। ” ମୁସଲମାନମାନଙ୍କର ପଛୁଆ ଜାତି ତେଲେଙ୍ଗାନାରେ ସଂରକ୍ଷଣ ପାଆନ୍ତି କିନ୍ତୁ କେନ୍ଦ୍ରରେ ନୁହେଁ। ଆମେ ସଂରକ୍ଷଣ ପାଇବୁ ନାହିଁ କିନ୍ତୁ ଇଫତାର ଭୋଜି ଆଉ ଖଜୁର ପାଇବୁ। “
ଓୱାଇସି କହିଛନ୍ତି ଯେ ଯେତେବେଳେ ହିନ୍ଦୁ, ବୁଦ୍ଧ ଏସସି କାଷ୍ଟରେ ଆସିପାରୁଛନ୍ତି, ତେବେ ମୁସଲମାନମାନେ ଏଥିରେ କାହିଁକି ଆସିବେ ନାହିଁ ? ୧୯୫୦ ର ରାଷ୍ଟ୍ରପତି ଆଦେଶକୁ ଧର୍ମ ମୁକ୍ତ କରାଯିବା ଉଚିତ୍ ବୋଲି ଓୱାଇସି କହିଛନ୍ତି। ସେ କହିଛନ୍ତି ଯେ ମୋଦୀ ସରକାର ୫୦ ପ୍ରତିଶତ ଆରକ୍ଷଣ ସୀମାକୁ ଅତିକ୍ରମ କରିବାକୁ କାହିଁକି ଡରୁଛନ୍ତି ? ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ” ଯେ ତୁମର ପ୍ରେମ ଓବିସି ପାଇଁ ନୁହେଁ, ଭୋଟ୍ ପାଇଁ। “.ସାଂସଦ କହିଛନ୍ତି ଯେ ମହାରାଷ୍ଟ୍ରରେ ମୁସଲମାନଙ୍କ ୫୦ ପଛୁଆ ଜାତି ବିଷୟରେ କେହି କେବେ କଥାବାର୍ତ୍ତା କରନ୍ତି ନାହିଁ, କେବଳ ସେଠାକାର ମରାଠା ସଂରକ୍ଷଣ ବିଷୟରେ ଆଲୋଚନା କରିଥାନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟମାନେ ଏହି ଆଇନ ବଳରେ ପ୍ରସ୍ତୁତ କରୁଥିବା ଓବିସି ତାଲିକା କେନ୍ଦ୍ର ଠାରୁ ମଧ୍ୟ ଭିନ୍ନ ହୋଇପାରିବ। ଏହା ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେ ନାହିଁ। ତେବେ ଏହା ବ୍ୟତୀତ ଆରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ବିରୋଧୀ ମାନେ ଦାବି କରିଛନ୍ତି।
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର କହିଛନ୍ତି ଯେ, “ଇନ୍ଦ୍ର ସାୱନି ମାମଲାରେ କୋର୍ଟ କହିଛନ୍ତି ଯେ ଆରକ୍ଷଣ ସୀମାକୁ କିଛି ବିଶେଷ ପରିସ୍ଥିତିରେ ୫୦% ରୁ ଅଧିକ ହୋଇପାରିବ । ତେଣୁ ସଦସ୍ୟମାନଙ୍କ ଚିନ୍ତା ବିଷୟରେ ସରକାର ଅବଗତ ଅଛନ୍ତି ବୋଲି ସେ କହିଛନ୍ତି।”