ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡ ଓ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର। ଏହାସହିତ ସେ ଓଡ଼ିଶା ପୋଲସର ସ୍ଥିତି ଏବେ କ’ଣ ରହିଛି ସେନେଇ ମଧ୍ୟ ବଡ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ପୋଲିସରେ ଏବେ ଅନେକ ଗୋପାଳ ରହିଛନ୍ତି । ଓଡ଼ିଶା ପୋଲିସକୁ ଶୃଙ୍ଖଳିତ କରାନଗଲେ ଆଗକୁ ଅନେକ କ୍ଷତି ହୋଇପାରେ ।

ତେବେ ଓଡ଼ିଶା ପୋଲିସରେ ଅନେକ ଗୋପାଳ ରହିଥିବା କହିଛନ୍ତି ପ୍ରକାଶ । ଓଡ଼ିଶା ପୋଲିସରେ ଏବେ ଆଉ ଶୃଙ୍ଖଳା ନାହିଁ । ଓଡ଼ିଶା ପୋଲିସରେ ଏବେ ଚେନ୍ ଅଫ୍ କମାଣ୍ଡ କିଛି ନାହିଁ । ଡିଜିଙ୍କୁ କେହି ମାନୁନାହାନ୍ତି, ଏସପି ତାଙ୍କ ନିଜ ହିସାବରେ ଗଲେଣି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି । ଏବେ ଯେଉଁ ସିଷ୍ଟମ ଚାଲିଛି, ସେଥିରେ ଅନେକ ଗୋପାଳ ବାହାରିବେ। ଏବେ ପୋଲିସ ହାତରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଯଦି ଓଡ଼ିଶା ପୋଲିସକୁ ଶୃଙ୍ଖଳିତ କରାନଯାଏ, ତେବେ ଭୟଙ୍କର ଘଟଣା ଘଟିପାରେ । ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ପୋଲିସ ଉପରେ ଅଯଥା ହସ୍ତକ୍ଷେପ କରାନଯାଉ, ପୋଲିସରେ ଶୃଙ୍ଖଳା ଅଣାଯାଉ ବୋଲି ପୂର୍ବତନ ଡିଜି ପ୍ରକାଶ ମିଶ୍ର କହିଛନ୍ତି ।