ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ କୌଣସି ଆଲୋଚନା ହୋଇ ନାହିଁ: ନବାବ ମଲିକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳର ନେତାମାନଙ୍କୁ ବାରମ୍ବାର ଭେଟୁଛନ୍ତି, ଗତ କିଛିଦିନ ତଳେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିବା ଖବର ଆସିଥିଲା। ଏହା ପର ଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।   ପି.କେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତିନିଥର ଭେଟିଥିଲେ, ପରେ କୁହାଯାଇଥିଲା ଯେ ପାୱାରଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରସ୍ତୁତି ଚାଲିଛି।  କିନ୍ତୁ ବର୍ତ୍ତମାନ ଏନସିପି ଏହି କଳ୍ପନାଜଳ୍ପନାକୁ ଖାରଜ କରିଦେଇଛି।

 ଏନସିପି ନେତା ନବାବ ମଲିକ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆଲୋଚନା ହୋଇନାହିଁ।  ଏହି ସମସ୍ତ ରିପୋର୍ଟକୁ ଭିତ୍ତିହୀନ ବୋଲି ସେ କହିଛନ୍ତି।

 “ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ନାହିଁ। ଆମ ଦଳର କୌଣସି ନେତା ଅନ୍ୟ କୌଣସି ନେତାଙ୍କ ସହ ଏ ବାବଦରେ ଆଲୋଚନା ହୋଇ ନାହିଁ। ଯଦି କେହି ପାୱାର ସାହେବଙ୍କୁ ରାଷ୍ଟ୍ରପତି କରିବା ଖବର ଚଲାଉଛନ୍ତି, ତା’ହେଲେ ଏହାର କୌଣସି ଆଧାର ନାହିଁ।”

 ନବାବ ମଲିକଙ୍କ ପରେ ଶରଦ ପାୱାର ନିଜେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉ ନାହାଁନ୍ତି।  ପାୱାର କହିଛନ୍ତି, “ଏହା ସମ୍ପୂର୍ଣ୍ଣ ମିଥ୍ୟା ଯେ ମୁଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାକୁ ଯାଉଛି। ୩୦୦ ରୁ ଅଧିକ ସାଂସଦ ଥିବା ଦଳ ସାମ୍ନାରେ ଏହାର ପରିଣାମ କ’ଣ ହେବ ମୁଁ ଜାଣେ। ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ହେବି ନାହିଁ। “

 ୨୦୨୨ ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।  ଅର୍ଥାତ୍ ରାମନାଥ କୋବିନ୍ଦଙ୍କ ସ୍ଥାନରେ ଜଣେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ପ୍ରଶାନ୍ତ କିଶୋରଙ୍କ ଶରଦ ପାୱାରଙ୍କ ସହ ସାକ୍ଷାତକାରକୁ ନେଇ ଏ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଲଗାତାର ତିନିଟି ବୈଠକ ପରେ କୁହାଯାଉଥିଲା ଯେ ପି.କେ ଶରଦ ପାୱାରଙ୍କୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି।  ଯାହାର ପ୍ରସ୍ତୁତି ଚାଲିଛି। କିନ୍ତୁ , ବର୍ତ୍ତମାନ ଏହି ସମସ୍ତ କଳ୍ପନାଜଳ୍ପନାକୁ NCP ଦ୍ୱାରା ଖଣ୍ଡନ  କରିଦିଆଯାଇଛି ।

 ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି।  ଯେଉଁଥିପାଇଁ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । କୁହାଯାଉଛି ଯେ ପି.କେ ମଧ୍ୟ କଂଗ୍ରେସରେ ଯୋଗ ଦେଇ ପାରନ୍ତି ।  ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାନ୍ତ କିଶୋରଙ୍କଠାରୁ ଏଭଳି କିଛି କୁହାଯାଇ ନାହିଁ।  କିନ୍ତୁ କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ ନିର୍ବାଚନ ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିବେ ନାହିଁ। ସେ ରାଜନୀତିକୁ ଆସିପାରନ୍ତି, କିନ୍ତୁ କେତେବେଳେ ଏବଂ କେଉଁ ଦଳ ସହିତ ତାହା ଏବେ ସ୍ଥିର ହୋଇନାହିଁ ବୋଲି ସେ କହିଥିଲେ। 

Related Posts