ବିନା ଲାଇସେନ୍ସରେ ଗାଡ଼ି ବିକ୍ରି କରି ଜୋରିମାନା ଭରିଲେ ବ୍ୟବସାୟୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିନା ଟ୍ରେଡ ଲାଇସେନ୍ସରେ ଗାଡି ବିକ୍ରି କରିବା ମହଙ୍ଗା ପଡିଲା । ଦେଢଲକ୍ଷ ଟଙ୍କା ଜୋରିମାନା ଭରିଲେ ବିକ୍ରେତା।  ଭୁବନେଶ୍ୱର ଏକ ନମ୍ବର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଚଢଉ କରି ଗାଡି ଗୁଡିକୁ ଜବତ କରାଯିବା ସହ ପ୍ରାୟ ଦେଢ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

ସୂଚନା ମୁତାବକ ନାଚୁଣିର ଜଣେ ବ୍ୟବସାୟୀ ରାଜଧାନୀ ଭୁବନେଶ୍ୱର ସ୍ଥିତ ରୋହନ ମୋଟର୍ସ ଠାରୁ ଦୁଇ ଚକିଆ ହିରୋହୋଣ୍ଡା ଗାଡି ନେଇ ନିଜ ଅଞ୍ଚଳରେ ବିକ୍ରି କରୁଥିଲେ । ଗାଡି ନାଚୁଣିରେ ବିକ୍ରି ହେଉଥିବା ବେଳେ କାଗଜପତ୍ର କିନ୍ତୁ ଭୁବନେଶ୍ୱରରୁ ପ୍ରସ୍ତୁତ ହେଉଥିଲା । ତେବେ ଏମିତି କରିବା ଆଇନ୍ ବିରୋଧୀ। 

ଯେକୌଣସି ନୂଆ ଗାଡି ବିକ୍ରି କରିବାକୁ ହେଲେ ବ୍ୟବସାୟୀଙ୍କ ପାଖରେ ଟ୍ରେଡ ଲାଇସେନ୍ସ ରହିଥିବା ଆବଶ୍ୟକ ବୋଲି ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କହିଛନ୍ତି । ଆଉ ଏହି ଟ୍ରେଡ୍ ଲାଇସେନ୍ସ ପାଇଁ ସରକାରୀ ହିସାବରେ ଦେୟ ଦେବାକୁ ପଡିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଗାଡି ବିକ୍ରେତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନୁମତି ଦେଇ ନଥାନ୍ତି ।

କିନ୍ତୁ ନାଚୁଣିର ଏହି ବ୍ୟବସାୟୀ ଜଣଙ୍କ ନିୟମର ଉଲ୍ଲଘଂନ କରି ଭୁବନେଶ୍ବରରୁ ଗାଡି କିଣି ନାଚୁଣୀରେ ବିକ୍ରି କରୁଥିଲେ । ତେବେ ଟ୍ରେଡ ଲାଇସେନ୍ସ ନଥାଇ ଗାଡି ବିକ୍ରି କରୁଥିବା ହେତୁ ତାଙ୍କ ଠାରୁ ଜବତ ହୋଇଥିବା ୧୯ଟି ଦୁଇ ଚକିଆ ଯାନପାଇଁ ଜୋରିମାନା ଆଦାୟ କରାଯାଇଛି । ଟିକସ ସାଙ୍ଗକୁ ଜୋରିମାନା ବାବଦକୁ ପ୍ରତ୍ୟେକ ଗାଡି ପିଛା ୯ହଜାର ଟଙ୍କା ଆଦାୟ କରାଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଟ୍ରେଡ ଲାଇସେନ୍ସରେ ନଥାଇ ଦୁଇ ଚକିଆ ଯାନ ବିକ୍ରି ହେଉଥିବା ଜଣାପଡିଛି । ଭୁବନେଶ୍ୱର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ମଧ୍ୟ ସକ୍ରିୟ ହୋଇ ଚଢଉ କରିଥିବା ଜଣା ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଏହି ବେଆଇନ୍‍ କାରବାର ପଛରେ କମ୍ପାନୀ ଠାରୁ ଆରମ୍ଭ କରି ବଡ ବଡ ସୋରୁମ ମାଲିକ ମଧ୍ୟ ସାମିଲ ଅଛନ୍ତି । ଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେଉଛି। ଏଭଳି ପରିସ୍ଥିତିରେ ସାରା ରାଜ୍ୟରେ ଚଢଉ କରାଯିବାର ଆବଶ୍ୟକତା ଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି ।

Related Posts