ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ରାଜନୈତିକ ବାତାବରଣ ଉଷ୍ମ ହୋଇ ଉଠିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବଡ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପ୍ରେସମିଟରେ କାନ୍ଦି କାନ୍ଦି ତାଙ୍କ ଉପରେ ବିଜେଡି କର୍ମୀ ମାନେ ଆକ୍ରମଣ କରିଥିବା କହିଛନ୍ତି ପ୍ରଦୀପ। ଗତକାଲି ପାଇକମାଲ ଥାନା ପଥରେଲ ଗାଁରେ ଏକ କର୍ମୀ ସମ୍ମିଳନୀ କରୁଥିବା ବେଳେ ତାଙ୍କ ଉପରେ ବିଜେଡି ଆକ୍ରମଣ କରିବା ନେଇ ପ୍ରେସମିଟରେ ସେ ଅଭିଯୋଗ ଆଣିଛନ୍ତି।
ଗତକାଲି କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜେଡି ଗୁଣ୍ଡା ମାନେ ସେଠାରେ ପହଞ୍ଚି ଟେଣ୍ଟ୍ ଚିରିବା ସହିତ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ମୋତେ ବି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ, ହେଲେ ଗାଁ ଲୋକ ସୁରକ୍ଷା ଦେବାରୁ ମୁଁ ବଞ୍ଚିଗଲି ବୋଲି ପ୍ରଦୀପ କହିଛନ୍ତି। ଏହାସହିତ ବିଜେଡି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରଦୀପ। ସେ କହିଛନ୍ତି ଯେ, ବିଜେଡ଼ି ମୋତେ ମାରିବାକୁ ଷଡଯନ୍ତ୍ର କରିଛି। ମୋତେ ଯିଏ ମାଡ଼ ମାରିବ ତାକୁ ୧ ଲକ୍ଷ ଟଙ୍କା ପୁରସ୍କାର ବିଜେଡି ଘୋଷଣା କରିଛି ବୋଲି ସେ କହିଛନ୍ତି।
ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ଥିବା ବେଳେ କାହିଁକି ବିଜେଡି ରକ୍ତମୁଖା ହେଉଛି ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ନିରଞ୍ଜନ ପୂଜାରୀ, ବିଧାୟକ ଶୁଶାନ୍ତ ସିଂଙ୍କ ପ୍ରରୋଚନାରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ମୋତେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସେଠାରେ କିଛି ବିଜେପି କର୍ମୀଙ୍କୁ ଆକ୍ରମଣ ମଧ୍ୟ ହୋଇଛି ଓ ସ୍ଥାନୀୟ ଲୋକ ମୋ ଗାଡିକୁ ଆସି ସୁରକ୍ଷା ଦେଲେ ବୋଲି ମୁଁ ବଞ୍ଚିଗଲି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।
ସୂଚନା ଅନୁସାରେ, ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ । ନାମାଙ୍କନ ଶେଷ ହୋଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପାର୍ଥୀ । ମୋଟ ୧୩ ଜଣ ନାମାଙ୍କନ ଦାଖଲ କରିଥିଲେ। ହେଲେ ସମସ୍ତ ପ୍ରକ୍ରିୟା ଶେଷ ପରେ ଏବେ ମଇଦାନରେ ୧୦ ପ୍ରାର୍ଥୀ ରହିଛନ୍ତି। ବେଳେ ତିନି ପ୍ରମୁଖ ଦଳର ପାର୍ଥୀଙ୍କ ଉପରେ ନଜର ରହିଛି । ବର୍ତ୍ତମାନ ତିନି ପାର୍ଥୀ ପ୍ରଚାରକୁ ଓହ୍ଲାଇଥିବା ବେଳେ ପ୍ରଚାର ମଧ୍ୟ ଜମୁଛି। ତେବେ ଏସବୁ ଭିତରେ ପ୍ରଦୀପଙ୍କ ଏଭଳି ଅଭିଯୋଗ ପଦ୍ମପୁର ମହୋଲ କୁ ଅଧିକ ସରଗରମ କରିଛି।
