
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ ନେତୃବୃନ୍ଦଙ୍କ ଗହଣରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଗତ ୧୪ ତାରିଖ ଦିନ ପ୍ରାର୍ଥୀପତ୍ର ଦଖଲ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ପ୍ରଦୀପ ବିରାଟ ପଟୁଆର ଧରି ଆସିଥିଲେ ମଧ୍ୟ ସେଦିନ ନାମାଙ୍କନ ଦାଖଲ ନକରି ଫେରି ଯାଇଥିଲେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଫସଲ ବୀମା ପାଇଁ ଧାରଣାରେ ବସିଥିବା ଚାଷୀ ମାନେ ତାଙ୍କୁ ପ୍ରାର୍ଥୀପତ୍ର ଦଖଲ ନ କରିବାକୁ ଅନୁରୋଧ କରିଥିଲେ ଓ ତାଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ତାଙ୍କୁ ନିର୍ବାଚନରେ ଉଚିତ୍ ଜବାବ୍ ଦିଆଯିବ ବୋଲି କହିଥିଲେ ଏହାପରେ ବିଜେପି ନେତାମାନେ ନାମାଙ୍କନ ଦାଖଲ ନକରି ଫେରି ଯାଇଥିଲେ।
ତେବେ ଆଜି ପଦ୍ମପୁର ଉପନିର୍ବାଚନର ନାମାଙ୍କନ ଦାଖଲର ଅନ୍ତିମ ଦିବସ ହୋଇଥିବା ବେଳେ ପ୍ରଦୀପ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜି ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ପରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ ୮ତାରିଖରେ ଭୋଟ ଗଣତି ହେବ।