ରାଜ୍ୟର ପ୍ରଚାରସର୍ବସ୍ବ ସରକାରର ମୁଖା ନ ଖୋଲିବା ପର୍ଯ୍ୟନ୍ତ ଅମର ବିଶ୍ରାମ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଆଜି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଚାରସର୍ବସ୍ବ ସରକାରର ମୁଖା ନ ଖୋଲିବା ଯାଏଁ ଅମର ବିଶ୍ରାମ ନାହିଁ ବୋଲି ଦଳୀୟ କର୍ମୀଙ୍କୁ କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଚାଷୀମାନଙ୍କୁ କେନ୍ଦ୍ରୀୟ ସହାୟତା ବାବଦ ଟଙ୍କା ମିଳିପାରୁନି । ଓଡ଼ିଶାର ଚାଷୀଙ୍କ ଧାନକୁ ଠିକ୍ ମୂଲ୍ୟ ଦେଇ କିଣାହେଉନି ।ଓଡ଼ିଶାର ଚାଷୀଙ୍କ ଧାନକୁ ୧୨ ରୁ ୧୩ ଶହ ଟଙ୍କା ପ୍ରତି କୁଇଣ୍ଟାଲରେ କିଣୁଛନ୍ତି ମିଲର । ସେହିପରି ରାଜ୍ୟରେ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ସେ କହିଛନ୍ତି ଯେ, ରାଜ୍ୟରେ ମାତୃଶିଶୁ ମୃତ୍ୟୁ ହାର ବଢ଼ିବାରେ ଲାଗିଛି, ହେଲେ ରାଜ୍ୟ ସରକାର ଆଖିରେ ଅନ୍ଧପୁଟୁଳି ଦେଇଛନ୍ତି ।

କେବଳ କେନ୍ଦ୍ରରେ ମୋଦି ସରକାରଙ୍କ ସମୟରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ମିଳିଛି । ହେଲେ ରାଜ୍ୟରେ ବିନା ଟେଣ୍ଡରରେ ଦଳୀୟ କର୍ମୀଙ୍କୁ କାମ ଦିଆଯାଉଛି । ଓଡ଼ିଶାରେ ପାଠ ପଢ଼ିବାରେ କି ଚାକିରିରେ କୌଣସି ସ୍ଥାନରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ନାହିଁ ବୋଲି କହି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାସହିତ ସେ କହିଛନ୍ତି ଯେ, ରାଜ୍ୟରେ ଥିବା ପ୍ରଚାରସର୍ବସ୍ଵ ସରକାରର ମୁଖା ନ ଖୋଲିବା ଯାଏଁ ବିଶ୍ରାମ ନେବାନି । ଆପଣମାନେ ପରିଶ୍ରମ ନ କଲେ ଓଡ଼ିଶାର ଭାଗ୍ୟ ବଦଳିବନି ବୋଲି ଧର୍ମେନ୍ଦ୍ର ଦଳୀୟ କର୍ମୀଙ୍କୁ କହିଛନ୍ତି ।

Related Posts