ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): କୌଣସି ପରିସ୍ଥିତିରେ ବି ଭାରତ ଛାଡ଼ି ଚୀନ୍ ଫେରିଯିବାର ପ୍ରଶ୍ନ ହିଁ ଉଠୁନାହିଁ ବୋଲି କହିଛନ୍ତି ତିବ୍ବତ ଧର୍ମଗୁରୁ ଦଲାଇଲାମା। ଭାରତ ତାଙ୍କର ସ୍ଥାୟୀ ବାସସ୍ଥାନ ବୋଲି ସେ କହିଛନ୍ତି। ଭାରତ ଛାଡ଼ି ଚୀନ୍ ଯିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଦଲାଇଲାମା। ସେ କହିଛନ୍ତି ଚୀନ୍ ତୁଳନାରେ ସେ ଭାରତକୁ ଅଧିକ ପସନ୍ଦ କରନ୍ତି।
ସେ ଆହୁରି କହିଛନ୍ତି ଯେ, ଭାରତ ମୋର ପ୍ରଥମ ପସନ୍ଦ ଅଟେ। କାଙ୍ଗରା ସ୍ଥାନଟି ମତେ ଭାରି ଭଲ ଲାଗେ ଏବଂ ଏହା ପଣ୍ଡିତ ଜବାହାର ଲାଲ ନେହେରୁଙ୍କର ବି ପସନ୍ଦ ଥିଲା। ଦଲାଇ ଲାମା କହିଛନ୍ତି ଯେ, ସମୟାନୁଯାୟୀ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଅନେକଥିରେ ସୁଧାର ମଧ୍ୟ ପରିଲକ୍ଷିତ ହେଉଛି। ଏସିଆ ହେଉ ବା ଆଫ୍ରିକା କିମ୍ବା ୟୁରୋପ ସବୁଠି ସୁଧାର ଆସିବାରେ ଲାଗିଛି।
ଦଲାଇଲାମା କହିଛନ୍ତି ଯେ, ଚୀନ୍ର ନୀତିରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। କିଛିଦିନ ତଳେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତକୁ ଅନୁପ୍ରବେଶ ପାଇଁ ଚୀନ୍ ପ୍ରୟାସ କରୁଥିବା ବେଳେ ଉଭୟ ପକ୍ଷର ଜବାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହାକୁ ନେଇ ଦଲାଇଲାମା କହିଛନ୍ତି ଯେ, ‘ଚୀନ୍ ଏବେ ତାର ନୀତିଗୁଡ଼ିକୁ ନେଇ ପୂର୍ବାପେକ୍ଷା ଗର୍ବ ଦେଖାଇବାରେ ଲାଗିଛି, ଚୀନ୍ ପଛକୁ ଫେରିବାର ନାଁ ନେଉନାହିଁ।’
ସୂଚନାଯୋଗ୍ୟ ଯେ, ଚୀନ୍ରେ ଡ୍ରାଗନ ସେନା ଦ୍ବାରା ତିବ୍ବତୀୟଙ୍କ ଉପରେ ଅତ୍ୟାଚାର ବଢ଼ିବା ପରେ ୧୯୫୯ରେ ଦଲାଇଲାମା ଭାରତ ଆସିଥିଲେ। ଭାରତରେ ପହଞ୍ଚିଥିବା ଦଲାଇଲାମା ଧର୍ମଶାାଳାର ମାକ୍ଲିଓଡ୍ ଗଞ୍ଜରେ ରହିଥିଲେ।
