ଆଜିଠୁ ବର୍ଷାରେ ଲାଗିବ ବ୍ରେକ୍: ଉତ୍ତର ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ ଅବପାତ

ଭୁବନେଶ୍ୱର : ଆଜିଠୁ କମିବ ବର୍ଷା । ରାଜ୍ୟର ବର୍ଷାରେ ବ୍ରେକ୍‌ ଲାଗିବ । ଉତ୍ତର ପଶ୍ଚିମ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଏବେ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ଫଳରେ ଓଡ଼ିଶା ଉପରେ ଏହାର ପ୍ରଭାବ ଦୁର୍ବଳ ହୋଇଯିବ ।

ସେପଟେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷା ନାହିଁ । କିନ୍ତୁ ରବିବାର ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୧ ଓ ୨୨ ତାରିଖରେ ରାଜ୍ୟରେ ଆଦୌ ବର୍ଷା ନାହିଁ । ୨୩ ଓ ୨୪ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ କୌଣସି ଅଞ୍ଚଳରେ ବିସ୍ତୃତ ବର୍ଷାର ଆଶଙ୍କା ନାହିଁ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡିର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।୨୧ରେ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି ।

୨୩ ଓ ୨୪ରେ ମୌସୁମୀ ଟ୍ରଫ୍‌ ପ୍ରଭାବରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । କିନ୍ତୁ ଆଗାମୀ କିଛି ଦିନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ଚାଷୀମାନେ ବିଲରେ ପାଣି ବାନ୍ଧି ରଖି ଚାଷ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଗଷ୍ଟ ମାସର ପ୍ରଥମ ୨୦ ଦିନରେ ରାଜ୍ୟରେ ୪୦୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷା ପରିମାଣ ୨୫୪.୪ ମିଲିମିଟର ଥିଲା । କିନ୍ତୁ ସ୍ୱାଭାବିକଠାରୁ ୬୦% ଅଧିକ ବର୍ଷା ହୋଇଛି । ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ୩୬୬.୪ ମିମି ଥିଲା । କିନ୍ତୁ ଏବେସୁଦ୍ଧା ସ୍ୱାଭାବିକଠାରୁ ୧୧% ଅଧିକ ବର୍ଷା ହୋଇ ସାରିଲାଣି ।

ଶନିବାର ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷିଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଭୋଗରାଇରେ ୨୨୬, କନ୍ଧମାଳର ଫିରିଙ୍ଗିଆରେ ୨୧୧, ମୟୂରଭଞ୍ଜର ନବାନାରେ ୧୯୬, କନ୍ଧମାଳ ଟିକାବାଲିରେ ୧୯୬, କନ୍ଧମାଳ ଚକାପାଦରେ ୧୯୦, ମୟୂରଭଞ୍ଜ ବାହାଲଦାରେ ୧୮୬, ତିରିଂରେ ୧୬୫, ଉଦଳାରେ ୧୬୪, ସମ୍ବଲପୁର ବାଟଗାଁରେ ୧୮୫, ମୟୂରଭଞ୍ଜ କୁସୁମିରେ ୧୭୯ ଓ ଫୁଲବାଣୀରେ ୧୬୮ ମିମି ବର୍ଷା ହୋଇଛି । ଶନିବାର ସକାଳୁ ସନ୍ଧ୍ୟା ଭିତରେ ସୁନ୍ଦରଗଡ଼ରେ ୪୪, କୋରାପୁଟରେ ୩୮, ଫୁଲବାଣୀରେ ୩୪.୮ ଓ ଦେବଗଡ଼ରେ ୩୨.୮ ମିମି ବର୍ଷା ହୋଇଛି ।

Related Posts