ଗୁଜରାଟରେ ହେବ ଆପ ସରକାର: ସାମ୍ବାଦିକ ସମ୍ମିଳନୀରେ ଲିଖିତ ଦାବି କଲେ କେଜରିୱାଲ

ସୁରଟ : ଗୁଜୁରାଟ ରେ ହେବ ଆମ ଆଦମୀ ପାର୍ଟି (ଆପ୍) ସରକାର । ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜରାଟରେ ଆପ ସରକାର ଗଢିବାକୁ ଯାଉଥିବା ରବିବାର ସାମ୍ବାଦିକ ସମ୍ମିଳନୀରେ ଲିଖିତ ଦାବି କରିଛନ୍ତି। ଖାସ ଏହି କାରଣରୁ ରାଜ୍ୟରେ ଏବେ ବିଜେପି ବ୍ୟାକୁଳ ହେଉଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ୨୭ ବର୍ଷ ହେଲା କ୍ଷମତା ମାଡିବସିଥିବା ବିଜେପି ଏବେ ହଡବଡେଇ ଯାଇଛି।

ସେ କହିଛନ୍ତି ଯେ ବାଟରେ ଚାଲୁଥିବା ଯେ କୌଣସି ବ୍ୟକ୍ତି ସହିତ ୫ ମିନିଟ୍‌ କଥା ହୁଅନ୍ତୁ ଜାଣିଯିବେ ତାଙ୍କ ମନରେ କେଉଁ ଦଳ ଲାଗି ଭୋଟ ରହିଛି। ହେଲେ ଲୋକେ ଖୋଲାଖୋଲି ଆପକୁ ଭୋଟ ଦେବେ ବୋଲି କହୁ ନାହାନ୍ତି। ବିଜେପି ଲୋକଙ୍କୁ ଡରେଇ ଧମକେଇ ରାଜ୍ୟରେ ଶାସନ କରୁଥିବା କହିଛନ୍ତି କେଜରିୱାଲ। ସେ କହିଛନ୍ତି ଯେ ଦେଶରେ ଗୁଜରାଟ ଏପରି ରାଜ୍ୟ ଯେଉଁଠି ଲୋକେ ଭୋଟ କଥା କହିଲେ ଘାବରେଇ ଯାଉଛନ୍ତି। ଲୋକଙ୍କୁ ଲାଗୁଛି ବିଜେପି ବାଲା ତାଙ୍କୁ ମାରପିଟ କରିବେ। ହେଲେ ଲୋକେ ଭୟରେ ମଧ୍ୟ ଆପକୁ ମନରେ ରଖିଛନ୍ତି କିନ୍ତୁ କଂଗ୍ରେସ କଥା କାହା ମୁହଁରୁ ଶୁଣା ଯାଉ ନଥିବା କହିଛନ୍ତି।

କେଜରିୱାର କହିଛନ୍ତି ଯେ ମୁଁ କରିଥିବା ଅନେକ ରାଜନୈତିକ ଭବିଷ୍ୟତବାଣୀ ସତ୍ୟ ହୋଇଛି, ଏଥର ମଧ୍ୟ ପ୍ରମାଣିତ ହେବ, ଗୁଜରାଟରେ ଆମ ଆଦମୀ ସରକାର ହେବ ବୋଲି ସେ କହିଛନ୍ତି। ଏହି ଅବସରରେ କେଜରିୱାଲ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ୍‌ ସ୍କିମର ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ରାଜ୍ୟରେ ଆପ ସରକାର ହେଉଛି ୩୧ ଜାନୁୟାରୀ ସୁଦ୍ଧା ଓପିଏସ୍‌ ଲାଗି ଅଧ୍ୟାଦେଶ ଜାରି କରିଦିଆଯିବ। ସେ କହିଛନ୍ତି ଯେ ଏ ବାବଦେ ମୁଁ ପବନରେ ତୀର ମାରୁନି ପଞ୍ଜାବରେ ଆପ ସରକାର ଓପିଏସ୍‌ ଲାଗୁ କରିସାରିଲେଣି।

ସେହିପରି ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ମସାଜ ପାର୍ଲର ବୟାନରେ କେଜରିୱାଲ ବିଜେପି ଏବେ ଭିଡିଓ ତିଆରି କମ୍ପାନୀ ପାଲଟିଥିବା କହିଛନ୍ତି। ଏଣୁ ଦିଲ୍ଲୀରେ ପ୍ରତି ଗଳିକନ୍ଦିରେ ବେଶି ନ ହେଲେ ବି ଗୋଟିଏ ଭିଡିଓ ବନେଇବା କମ୍ପାନୀ ଖୋଲିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି। ଗୁଜରାଟରେ ଆପକୁ କେତୋଟି ସିଟ୍‌ ମିଳିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଜାବାବରେ କେଜରିୱାଲ ୯୨ରୁ ଅଧିକ ଆସନ ମିଳୁଥିବାର ଦାବି କରିଛନ୍ତି।

Related Posts