ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ମିଶାଇଲ ପଡ଼ିବା ଘଟଣାରେ ଭାରତ ସପକ୍ଷରେ ଆମେରିକା ବାହାରିଛି । ତେବେ ଭାରତର କିଛି ଭୁଲ ନାହିଁ, ଏହା ଅଜାଣତରେ ହୋଇଥିବା ୟୁଏସ କହିଛି । ଏନେଇ ଆମେରିକୀୟ ବୈଦେଶିକ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଏହା କେବଳ ଏକ ଦୁର୍ଘଟଣା ଅଟେ । ଟେକନିକରେ କୌଣସି ତ୍ରୁଟି ପାଇଁ ଏପରି ହୋଇଥିଲା । ଏହା ଆକସ୍ମିକ ଘଟଣା ବ୍ୟତୀତ ଆଉ କିଛି ନୁହେଁ । ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ । ଅନ୍ୟପଟେ କିଛିଦିନ ତଳେ ପାକିସ୍ତାନରେ ଭାରତୀୟ ବ୍ରହ୍ମୋସ ମିଶାଇଲ ନିୟନ୍ତ୍ରଣ ହରାଇ ପଡିଯାଇଥିଲା ।

ପାକିସ୍ତାନର ୧୨୪ କିମି ଭିତରେ ଏହା ପଡିଥିଲା । ଯାହାକୁ ନେଇ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା । ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକ୍ । ଏହାସହ ତଦନ୍ତ ଦାବି କରିଥିଲା । ଏବେ କିନ୍ତୁ ଭାରତକୁ ଆମେରିକାର ସମର୍ଥନ ମିଳିଛି । ଏହି ମାମଲାରେ ଚୀନ୍ ମଧ୍ୟ ଅଯଥା ହସ୍ତକ୍ଷେପ କରିଥିଲା । ଏବଂ ଭାରତ ଓ ପାକିସ୍ତାନ ଏନେଇ ମିଳିତ ଭାବରେ ତଦନ୍ତ କରନ୍ତୁ ବୋଲି ଚୀନ କହିଥିଲା । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।