ଏହା ଏକ ମନୁଷ୍ୟକୃତ ବନ୍ୟା ଓ ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି ।ରାଜ୍ୟ ସରକାର ଗୋଟେ କଥା କହୁଛନ୍ତି କିନ୍ତୁ ରାଜ୍ୟର ପରିସ୍ଥିତି ଆଉ ଗୋଟେ କଥା କହୁଛି । ଓଡ଼ିଶାରେ ଗତ ସାତ ଆଠ ଦିନ ଧରି ଲୋକମାନେ ଗୋଟେ ଭୟାବହ ବନ୍ୟାର ସାମ୍ନା କରି ଭଗବାନଙ୍କ ଭରସାରେ ପଡି ରହିଛନ୍ତି । ଏହା ଏକ ମନୁଷ୍ୟକୃତ ବନ୍ୟା ଓ ଏହି ବନ୍ୟା ପାଇଁ ରାଜ୍ୟ ସରକାରହିଁ ଦାୟୀ । ଯେଉଁ ବନ୍ଧବାଡ ନିର୍ମାଣ କରିବା କଥା, ଯାହା ମରାମତି ହେବା କଥା ତାହା ବି ହୋଇପାରିଲା ନାହିଁ । ଜଳସମ୍ପଦ ବିଭାଗ ନିଜ ଦାୟିତ୍ୱ ଏଡ଼େଇ ଦେଇଛି, ଦାୟିତ୍ବହୀନ ହୋଇଛି ଏବଂ ବିଜେଡି ସେହି ମରାମତି ଟଙ୍କା ହରିଲୁଟ କରିଛି ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଏହା ରାଜ୍ୟ ସରକାରଙ୍କ ମିସ ମ୍ୟାନେଜମେଣ୍ଟ ବୋଲି ମଧ୍ୟ ସେ କହିଛନ୍ତି।

ଛତିଶଗଡ଼ରେ ଅଧିକ ବର୍ଷା ହେଲେ ଓଡ଼ିଶାରେ ବନ୍ୟା ପରିସ୍ଥିତି ପୂର୍ବରୁ ହେଉ ନଥିଲା ଯାହା ଏବେ ହେଉଛି । ୬୦ ଦଶକରୁ ହୀରାକୁଦ କେତେ ଗେଟ ଖୋଲିବ କେତେ ବନ୍ଦ କରିବ ନିୟମ ରହିଛି। କିନ୍ତୁ ଚଳିତ ଥର ଏସବୁରେ ନିୟମ ମାନି ନାହାନ୍ତି ବରଂ ଦାୟିତ୍ବ ହୀନ ହୋଇ ଗେଟ ଖୋଲିଦେବା କାରଣରୁ ଏ ବନ୍ୟା ହୋଇଛି । ବନ୍ୟା କାରଣରୁ ୬ ଜଣ ଲୋକଙ୍କ ଜୀବନ ଯାଇଛି । ତେଣୁ ଜିରୋ କାଜୁଆଲଟି ସମ୍ପୂର୍ଣ୍ଣ ରୂପେ ମିଛ । ଧାନ ତଳି, ପରିବା ଚାଷ ସବୁ ନଷ୍ଟ ହୋଇଛି । ଦୁର୍ଭାଗ୍ୟର କଥା ହେଉଛି ବନ୍ୟା ଆସିବାର ୪ ଦିନ ପର୍ଯ୍ୟନ୍ତ ରିଲିଫ ଲୋକଙ୍କ ପାଖରେ ପହଞ୍ଚିଲାନି । ଅସୁବିଧା ଅବ୍ୟବସ୍ଥା ଭିତରେ ଲୋକ ଥିବା ବେଳେ ରନ୍ଧା ଖାଦ୍ୟ ୪ ଦିନ ଯାଏ ଯାଇ ପାରିନଥିଲା, ଶୁଖିଲା ଖାଦ୍ୟ ୩ ଦିନ ଯାଏଁ ପହଞ୍ଚି ପାରିଲା ନାହିଁ । ତାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ଦେଖିନଥିଲେ ବୋଲି ଲୋକଙ୍କ ପାଖରେ ସରକାରୀ ଅଧିକାରୀ ମାନେ ପହଞ୍ଚି ନଥିଲେ । ତେଣୁ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାର ଫେଲ ମାରିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବନ୍ୟା ସ୍ଥିତି ପାଇଁ ଦାୟିତ୍ୱହୀନ ସରକାର ପ୍ରଥମେ ରାଜ୍ୟବାସୀଙ୍କ ପାଇଁ କ୍ଷମା ମାଗନ୍ତୁ । ତା ସହିତ ବନ୍ୟା ପାଇଁ ସ୍ଵତନ୍ତ୍ର ଭାବେ ଗୋଟେ ଦୀର୍ଘ ମିଆଦି ଯୋଜନା କରନ୍ତୁ ଯେମିତି ଆଗକୁ ଛୋଟ ବନ୍ୟା ଆସିଲେ ବି ନିୟନ୍ତ୍ରଣ ହୋଇ ପାରିବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

Related Posts