ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ହକି ବିଶ୍ୱକପ ସମୟରେ ରାଜଧାନୀବାସୀଙ୍କୁ ପାଇଁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣି ଦେଉଛି ‘ଶିଶିର ସରସ ମେଳା-୨୦୨୩’ । ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୭ଦିନ ଧରି ଏହି ମେଳା ଆୟୋଜିତ ହେବ । ତେବେ ଏଥର ମେଳା ପଡ଼ିଆରେ ବଡ଼ ପରଦାରେ ହକି ବିଶ୍ୱକପ ମୁକାବିଲା ଦେଖିବା ସହ ମେଳା ବୁଲିବାର ମଜା ନେବେ ଦର୍ଶକ । କିନ୍ତୁ ଏଥର ମେଳା ସମ୍ପୂର୍ଣ୍ଣ ନୂଆ ରୂପରେ ଆଉ ନୂଆ ସ୍ଥାନରେ ଆୟୋଜିତ ହେଉଛି । ଏନେଇ ବୁଧବାର ଦିନ ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍ଆଇଆର୍ଡି ଆଣ୍ଡ୍ ପିଆର୍ କନ୍ଫରେନ୍ସ ହଲ୍ରେ ମେଳା ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ଥର ପରି ଏଥର ମଧ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ମେଳା ଆୟୋଜିତ ହେଉଛି ।
ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଅଧ୍ୟକ୍ଷତା କରିଥିଲେ । ଏଥିରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି କହିଥିଲେ, ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ସମୟରେ ଏହି ଜାତୀୟସ୍ତରୀୟ ମେଳା ହେବ । ଏହାକୁ ଅଧିକ ଆକର୍ଷଣୀୟ ଏବଂ ଚିତ୍ତାକର୍ଷକ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ।
ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ମେଳା ପ୍ରଦର୍ଶନୀ ପଡ଼ିଆ ବଦଳରେ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଆୟୋଜିତ ହେବ ଶିଶିର ସରସ ମେଳା । ଏବର୍ଷ ମୋଟ୍ ୩୫୦ଟି ଷ୍ଟଲ୍ ସହିତ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏସ୍ଏଚ୍ଜିମାନଙ୍କର ହାତ ତିଆରି ସାମଗ୍ରୀ ଏବଂ ୨୬ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ତଥା ମସଲା ସାମଗ୍ରୀ ବିକ୍ରି ହେବ । ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ଯୋଜନା ରହିଛି । ସେହିପରି ସ୍ୱତନ୍ତ୍ର ଫୁଡ୍କୋର୍ଟ ସହ, ସେଲ୍ଫି ପଏଣ୍ଟ, ଓପନ୍ କୁଇଜ୍, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ଜିଲ୍ଲାସ୍ତରରେ ମଧ୍ୟ ହକି ବିଶ୍ୱକପ ସମୟରେ ଓରମାସ ଜିଲ୍ଲା ମୁଖ୍ୟାଳୟରେ ପଲ୍ଲିଶ୍ରୀ ମେଳା ଆୟୋଜନ କରିବ । ଏଥିପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଚାଲିଛି । ତେବେ ମେଳା ସମୟରେ ବୁଲିବାକୁ ଆସୁଥିବା ପରିଦର୍ଶକଙ୍କ ପାଇଁ ବଡ଼ ଏଲ୍ଇଡି ସ୍କ୍ରିନ୍ରେ ହକି ମ୍ୟାଚ୍ର ସିଧାପ୍ରସାରଣ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି ।
ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ପୁଲିସ୍ ଓ ଟ୍ରାଫିକ୍ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ ମିଶନ ଶକ୍ତି ବିଭାଗ, ବିଏମ୍ସି, ବିଡିଏ, ୱାଟକୋ, ନାବାର୍ଡ, ଏସ୍ଏସ୍ଇପିଡି, ଇମେଜ ଓ ଟ୍ରାଇଫେଡ ସହ ବିଭିନ୍ନ ସରକାରୀ ସଂସ୍ଥା, ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
