ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବାବେଳେ ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ବୟାନ ବାଜି କରୁଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କେଶବ ପ୍ରସାଦ ମୌର୍ଯ୍ୟ ବିରୋଧୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ସାଇକେଲ ପମ୍ପଚର ହୋଇଯାଇଛି । ମାତା ଲକ୍ଷ୍ମୀ କେବେ ହେଲେ ଭଙ୍ଗା ବାହନରେ ବସନ୍ତିନି । ତେଣୁ ଉତ୍ତରପ୍ରଦେଶରେ ମାତା ଲକ୍ଷ୍ମୀ ପଦ୍ମରେ ବସିକି ଆସୁଛନ୍ତି ବୋଲି ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି । କେବଳ ଏତିକି ନୁହେଁ ବରଂ ୨୦୨୨ ମସିହାରେ ନିର୍ବାଚନରେ ବିରୋଧୀ ଦଳଗୁଡିକ ସଫା ହୋଇଯିବ ଏବଂ ଏହି ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାସ୍ତା ସଫା କରିବ।
ଉତ୍ତରପ୍ରଦେଶର ଉନ୍ନତି ପାଇଁ ୨୦୨୨ ନିର୍ବାଚନରେ ଜିତିବା ଆବଶ୍ୟକ । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣ ଯୋଜନା ମଧ୍ୟରେ କୌଣସି ଭେଦଭାବ ନାହିଁ। ସମସ୍ତ ଭେଦଭାବ ବିନା ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଯୋଗୀ ରାଜ୍ୟରେ ଗୁଣ୍ଡାରାଜକୁ ସମାପ୍ତ କରିଛନ୍ତି ଏବଂ ଉତ୍ତରପ୍ରଦେଶରେ ଉତ୍ତମ ଶାସନ ପାଇଁ ଲଢ଼େଇ ଚାଲିଛି। କ୍ଷମତାକୁ ଆସିବା ପରେ ରାଜ୍ୟକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ, ଉତ୍ତରାଖଣ୍ଡରୁ ମୁକ୍ତ କରାଯିବ ବୋଲି ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି ।
