୫୦ବର୍ଷରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବେ ଯୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୫୦ବର୍ଷରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବେ ଯୋଗୀ । ତେବେ ୟୁପିର ଯୋଗୀ ସରକାର ସରକାରୀ ବିଭାଗରେ କାର‌୍ୟ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୩୧ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତର ଅସୁସ୍ଥ ଥିବା କର୍ମଚାରୀ, କାର‌୍ୟ୍ୟ ନକରିବା ସ୍ଥିତିରେ ଥିବା କର୍ମଚାରୀ ବା କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ସୁଦ୍ଧା ଅବସରପ୍ରାପ୍ତ କର୍ମଚାରୀଙ୍କ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସେପଟେ ୟୁପିରେ କର୍ମଚାରୀମାନେ ୬୦ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି। ଏହା ପୂର୍ବରୁ କିଛି ବିଭାଗରେ ଅବସର ନେବାର ବୟସ ୫୮ବର୍ଷ ଥିଲା। ହେଲେ ଏବେ ବୟସ ସୀମାକୁ ବଦଳାଇଛନ୍ତି ସରକାର।

ତେବେ ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ରା ବିଭାଗ ମୁଖ୍ୟଙ୍କୁ ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସବୁଠାରୁ ବଡ଼ କଥା ହେଲା ୫୦ବର୍ଷ ପୂରଣ କରିଥିବା ସମସ୍ତ କର୍ମଚାରୀଙ୍କ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ। କର୍ମଚାରୀମାନେ ଯେଉଁ ପଦବୀରେ ଅଛନ୍ତି ସେମାନେ ସେ ପଦବୀ ପାଇଁ ଯୋଗ୍ୟ, ଯାହାର କାର‌୍ୟ୍ୟଦକ୍ଷତା ଭଲ, ଅତି ଆନ୍ତରିକତାର ସହିତ ଯିଏ କାର‌୍ୟ୍ୟ କରୁଥିବ ବା ଯେଉଁ କର୍ମଚାରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts