ଚଳିତ ଥର ୯ଦିନ ଧରି ଚାଲିବ କଟକ ବାଲିଯାତ୍ରା, ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ହେବ ପ୍ଲଟ ଆବଣ୍ଟନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ୯ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ । ନଭେମ୍ବର ୮ରୁ ୧୬ ପର୍ଯ୍ୟନ୍ତ ହେବ ବାଲିଯାତ୍ରା । ଆସନ୍ତା ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ଆବଣ୍ଟନ ହେବା ନେଇ ସୂଚନା ମିଳିଛି ।

ସୂଚନା ଅନୁଶାରେ, ସେପ୍ଟେମ୍ୱର ୨୩ ତାରଖରେ ବାଲିଯାତ୍ରାର ପରିସରକୁ ୩୪ ଏକର ଜାଗା ଭିତରେ ସୀମିତ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ।ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ ବୋଲି କହିଥିଲେ ଏନ୍ଜିଟି । ମହାନଦୀ ପଠାକୁ ବ୍ୟବସାୟିକ କାର‌୍ୟ୍ୟରେ ଲଗାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା । କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନ୍ଜିଟି ଅମଙ୍ଗ ହୋଇଥିଲେ । ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ , ଜୈବ ମଣ୍ଡଳ ପ୍ରଭାବିତ ହୋଇଛି , ପରିବେଶ ପ୍ରଦୂଷିତ ହୋଇଛି । ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କମିଟି ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

Related Posts