‘କଟକର ବାଲିଯାତ୍ରା ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କର ନିଦର୍ଶନ’: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏଥିରେ ଯୋଗଦେବାପାଇଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ମୋଦିଙ୍କୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଭିଡୋଡୋ ସେଠାରେ ସ୍ୱାଗତ କରିଥିଲେ। ଏହି ଗସ୍ତ ଅବସରରେ ଇଣ୍ଡୋନେସିଆର ବାଲିରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇଣ୍ଡୋନେସିଆ ସହ ଭାରତର ସମ୍ପର୍କ ନିବିଡ଼ ରହିଛି। ଦୁଇ ଦେଶ ମଧ୍ୟରେ ହଜାର ହାଜର ବର୍ଷ ଧରି ସମ୍ପର୍କ ରହିଥିବା ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଅନେକ ପିଢ଼ି ପରେ ମଧ୍ୟ ଇଣ୍ଡୋନେସିଆରେ ଭାରତୀୟମାନେ ନିଜ ମୂଳ ପରମ୍ପରାକୁ ଭୁଲି ନାହାନ୍ତି। ବାଲି ମାଟିକୁ ଅତ୍ୟନ୍ତ ଆନନ୍ଦଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ ନିଜ ଅଭିଭାଷଣରେ କଟକରେ ଚାଲିଥିବା ବାଲିଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ବାଲିଠାରୁ ୧୫ ଶହ କିମି ଦୂରରେ ଭାରତର କଟକରେ ଏବେ ବାଲିଯାତ୍ରା ଚାଲିଛି। ଏହି ଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଶହ ଶହ ବର୍ଷର ବାଣିଜ୍ୟ ପରମ୍ପରାର ନିଦର୍ଶନ ବୋଲି କହିଛନ୍ତି ମୋଦି। ଚଳିତ ବର୍ଷ ଇଣ୍ଡୋନେସିଆବାସୀ ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖି ନିଶ୍ଚୟ ଖୁସି ଅନୁଭବ କରିବେ ବୋଲି ସେ କହିଛନ୍ତି। କୋଭିଡ ପାଇଁ କିଛି ବର୍ଷ ଏଥିରେ ବାଧା ଉପୁଜିଥିଲେ ମଧ୍ୟ ଚଳିତବର୍ଷ ଧୁମଧାମରେ ଏହା ପାଳନ ହେଉଛି।

ବାଲିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବାଲିରେ ଏକ ଅଲଗା ମାହୋଲ ରହିଛି ଏବଂ ଆମକୁ ଏହି ମାହୋଲ ଭିନ୍ନ ପ୍ରକାର ଶକ୍ତି ଦେଉଛି। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି। ଓଡ଼ିଶାର ଲୋକମାନଙ୍କ ମନ ବାଲିରେ ରହିଛି। ତରଙ୍ଗ ଭଳି ଇଣ୍ଡୋନେସିଆ ସହ ଆମର ସମ୍ପର୍କ ରହିଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଇଣ୍ଡୋନେସିଆର ବାଲି ଆସିବା ପରେ ହିନ୍ଦୁସ୍ତାନୀଙ୍କୁ ଏକ ଅଲଗା ପ୍ରକାରର ଅନୁଭୂତି ମିଳିଥାଏ ଏବଂ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ମୁଁ ବି ସେହି କମ୍ପନ ଅନୁଭବ କରୁଛି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ ଯେ, ମୋଦି ଜି-୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଭେଟିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ରିଷି ସୁନକଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ। ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନରେ ହୋଇଥିବା ରାଜନୈତିକ ଅସ୍ଥିରତା ଏବଂ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ପ୍ରମୁଖ ତଥା ୟୁକେର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଗମ୍ଭୀରତାର ସହ ସାକ୍ଷାତ କରିଥିଲେ। ପିଏମ୍‌ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମାକ୍ରୋନ୍‌ଙ୍କୁ ମଧ୍ୟ ଭେଟିଥିଲେ। ମୋଦି ଏଠାରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଥିଲେ।

Related Posts