ନାବାଳିକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଓଡ଼ିଶାର ଜଣେ ଭଣ୍ଡ ବାବା ଗିରଫ

ଉମରକୋଟ : ପୋଲିସ ହାତରେ ଆଉ ଜଣେ ଭଣ୍ଡ ବାବା । ଛତିଶଗଡ଼ର ଜଣେ ନାବାଳିକଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଓଡ଼ିଶାର ଜଣେ ଭଣ୍ଡ ବାବା ଗିରଫ କରିଛି ପୋଲିସ । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ହୋଇଥିବା ବାବାଙ୍କ ପରିଚୟ ବୁଦୁରାମ ଅନ୍ଦକାରି। ସେ ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ଝଟିଆରପାରା ଗାଁର ବାସିନ୍ଦା। ତାଙ୍କ ବାପାଙ୍କ ପରିଚୟ ରାମ ଅନ୍ଦକାରି। ତାଙ୍କୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡ଼ର ବିଶ୍ରାମପୁରୀ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ବୁଦୁରାମ ଦୀର୍ଘ ଦିନ ଧରି ନିଜକୁ ବାବା ବୋଲି କହି ଲୋକଙ୍କ ବିଭିନ୍ନ ସମସ୍ୟା ସହିତ ରୋଗ ଠିକ୍ କରୁଥିବା ଅଭିଯୋଗ ହାଇଛି l ଏମିତିକି ତାଙ୍କ ଶରୀରରେ ନିଜେ ହନୁମାନ ଆବିର୍ଭାବ ହେଉଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ l ଫଳରେ ଲୋକେ ଅନ୍ଧ ବିଶ୍ବାସର ଶିକାର ହୋଇ ସ୍ଥାନୀୟ ବ୍ଲକର ସୀମାନ୍ତ ଅଞ୍ଚଳ ସହିତ ଛତିଶଗଡ଼ରୁ ମଧ୍ୟ ବହୁ ଲୋକ ବୁଦୁରାମ ପାଖକୁ ବିଭିନ୍ନ ସମସ୍ୟା ନେଇ ଆସୁଥିଲେ l

ଚଳିତ ମାସ ୧୯ ତାରିଖ ସୋମବାର ଦିନ ଛତିଶଗଡରୁ ଜଣେ ନାବାଳିକଙ୍କୁ ତାଙ୍କ ପରିବାର ଲୋକେ ଝିଅର ପେଟ ବଥା ହେବାରୁ ବୁଦୁରାମ ପାଖକୁ ଝଡ଼ାଫୁଙ୍କା କରିବାକୁ ଆଣି ସେହିଦିନ ଝିଅକୁ ଦେଖାଇ ଘରକୁ ନେଇଥିଲେ l ଏହାର ପରଦିନ ବୁଦୁରାମ ଏହି ନାବାଳିକଙ୍କ ବାପାଙ୍କୁ ଫୋନ୍ କରି ପୁଣି ଥରେ ଝଡ଼ାଫୁଂକା କରିବାକୁ ପଡ଼ିବ ବୋଲି କହିଥିଲେl ଗତ ଗୁରୁବାର ଦିନ ବୁଦୁରାମ ଏହି ନାବାଳିକା ଘରକୁ ଯାଇ ଝଡ଼ାଫୁଙ୍କା କରିଥିଲେ। ଗୋଟାଏ ଘର ଭିତରେ ଏହି ନାବାଳିକାଙ୍କୁ ରଖି ପରିବାର ଲୋକଙ୍କୁ ଅଲଗା ବାହାର କରି ଭିତରୁ କବାଟ ବନ୍ଦ କରିଦେଇଥିଲେ ବାବା।

ବୁଦୁରାମ ସେଠାରୁ ଫେରିବା ପରେ ରାତିରେ ଏହି ନାବାଳିକା ଘର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ପରେ ପରିବାର ଲୋକେ ବିଶ୍ରାମପୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବିଶ୍ରାମପୁରୀ ଥାନା ଅଧିକାରୀ ରବି ଶଙ୍କରଙ୍କ ନେତୃତ୍ବରେ ଏକ ଟିମ ଓଡ଼ିଶା ଆସି ବୁଦୁରାମଙ୍କୁ ଉଠାଇ ନେଇଛନ୍ତି। ଏ ନେଇ ବିଶ୍ରାମପୁରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବୁଦୁରାମଙ୍କ ନାମରେ ପୋକ୍ସୋ ମାମଲା ଲାଗିଥିବାରୁ ତାଙ୍କୁ ଏବେ ବିଚାର ବିଭାଗୀୟ ହାଜତକୁ ପଠାଇ ଯାଇଛି ବୋଲି ଥାନା ଅଧିକାରୀ ରବି ଶଙ୍କର ଜଣାଇଛନ୍ତି।

Related Posts