ଏଥର ପୁରୀରେ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର,26/6(ସତ୍ୟପାଠ ବ୍ୟୁରୋ): ଆଗାମୀ ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ଏହାପରେ ସେ ଜୁଲାଇ ୬ରୁ ୯ ତାରିଖ ମଧ୍ୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଏବେଠାରୁ ଆରମ୍ଭ ପ୍ରସ୍ତୁତି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୯ ତାରିଖରେ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ସନ୍ଧ୍ୟାରେ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ରଥଯାତ୍ରାରେ ଯୋଗଦେବା ସହ ପୁରୀ ରାଜଭବନରେ ରାତ୍ରିଯାପନ କରିବା ନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ସଞ୍ଜୀବ ପଣ୍ଡା ।

ଏଣେ ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ବୁଲିବା ସହ ଅନ୍ଧାରୁଆରେ ବ୍ରହ୍ମକୁମାରୀ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ତେଣେ ୯ ତାରିଖରେ ଜଟଣୀ ନାଇଜରରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଉଥିବା ନେଇ ପୋଲିସ କମିସନର ସୂଚନା ଦେଇଛନ୍ତି। ରୁଟ ଲାଇନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବ‌ୋଲି କହିଛନ୍ତି ପୁଲିସ କମିସନର।

Related Posts