
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଲୋକମାନେ ୨୦୨୪ ରେ ଟିଡିପିକୁ କ୍ଷମତାକୁ ଫେରାଇ ଆଣନ୍ତି ନାହିଁ, ତେବେ ଏହା ତାଙ୍କ ଜୀବନର ଶେଷ ନିର୍ବାଚନ ହେବ।
ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାର ଏକ ରୋଡ ଶୋ ସମୟରେ ସେ ଏଭଳି ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି।ଏହି ସମୟରେ ସେ ତାଙ୍କ ଶପଥକୁ ମନେ ପକାଇଥିଲେ ଯେ, ତାଙ୍କ ଦଳ କ୍ଷମତାକୁ ନ ଆସିବା ପର୍ଯ୍ୟନ୍ତ ସେ ବିଧାନସଭାକୁ ଯିବେ ନାହିଁ।
ନାଇଡୁ ଉପସ୍ଥିତ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ମୋତେ ବିଧାନସଭା ପୁଣି ଯିବାକୁ ପଡିବ, ଯଦି ମୋତେ ରାଜନୀତିରେ ରହିବାକୁ ପଡିବ ଏବଂ ଯଦି ଆନ୍ଧ୍ରପ୍ରଦେଶକୁ ନ୍ୟାୟ ପ୍ରଦାନ କରିବାକୁ ପଡିବ, ତେବେ ଆପଣଙ୍କୁ ଆମର ବିଜୟ ନିଶ୍ଚିତ କରିବାକୁ ପଡିବ। ଆପଣ ପରବର୍ତ୍ତୀ ନିର୍ବାଚନରେ ଆମର ବିଜୟ ନିଶ୍ଚିତ ନ କରିଲେ ଏହା ମୋର ଶେଷ ନିର୍ବାଚନ ହେବ
ତେବେ ୭୨ ବର୍ଷୀୟ ଟିଡିପି ମୁଖ୍ୟ ନାଇଡୁ କହିଛନ୍ତି ଯେ, କିଛି ଲୋକ ମୋ ବୟସକୁ ନେଇ ପରିହାସ କରୁଛନ୍ତି। ମୁଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବୟସର। ଜୋ ବାଇଡେନ ୭୯ ବର୍ଷ ବୟସରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ହେଲେ ମୋ ବୟସକୁ ନେଇ ପରିହାସ କରାଯାଉଛି। ତେବେ ପୁନର୍ବାର ତାଙ୍କ ଦଳ ନିର୍ବାଚିତ ହେଲେ ରାଜ୍ୟର ବିକାଶ କରିବ ଏହା ସହିତ ରାଜ୍ୟରେ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି କୁ ହରାଇ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଥିଲା।