ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ; କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ପରେ ଏପରି ପରାମର୍ଶ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଳିଙ୍ଗ ଘାଟିରେ ଟୁରିଷ୍ଟ ବସ ଓଲଟିବା ପରେ ସାରା ରାଜ୍ୟରେ ଏହାର ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଡ୍ରାଇଭରମାନଙ୍କୁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଛି । ତେବେ ଘାଟି ରାସ୍ତାରେ ଯାଆନ୍ତୁ ନାହିଁ। ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ, ଏଥିଲାଗି ପ୍ରତିବନ୍ଧକ ନାହିଁ। କିନ୍ତୁ, ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଳାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହି ଘାଟିରେ ଗାଡ଼ି ନେଇ ପାରିବେ। ଆମର ପରାମର୍ଶ ରହୁଛି, ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ। ଏ ନେଇ ପୁଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ସଚେତନ କରିବେ ରୁଟ ପରିବର୍ତ୍ତନ କରିବାକୁ।

ଆଜି ଏ ଦିଗରେ ବୈଠକ ବସିବ। ପଶ୍ଚିମବଙ୍ଗ, ଗୁଜୁରାଟ ପରି ପ୍ଲେନ ରାସ୍ତାରେ ଡ୍ରାଇଭରମାନେ ଗାଡ଼ି ଚଳାଉଥିବାରୁ, ସେମାନଙ୍କର ଓଡ଼ିଶାର ଘାଟିରେ ଗାଡ଼ି ଚଳାଇବାର ଅଭିଜ୍ଞତା ନଥିବା ଆମେ ଅନୁମାନ କରୁଛୁ। ଆମେ ଗତକାଲି ଦୁର୍ଘଟଣାର ରିପୋର୍ଟ ମାଗିଛୁ। ନୂଆ ବ୍ଲାକ ସ୍ପଟ ବି ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ପ୍ରାଥମିକ ରିପୋର୍ଟରୁ ଯାହା ଜଣାପଡ଼ୁଛି, ବ୍ରେକ ଫେଲ ହୋଇଥିଲା ବୋଲି କହିଛନ୍ତି । ସେପଟେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ୭୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଉକ୍ତ ବସଟି ଦାରିଙ୍ଗବାଡିରେ ପହଞ୍ଚିବା ପରେ ଲୋକେ ସେଠାରେ ବୁଲାବୁଲି କରି ବିଶାଖାପାଟଣା ଅଭିମୁଖେ ବାହାରିଥିଲେ। ତେବେ କଳିଙ୍ଗା ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡ଼ିଥିଲା। ଏହାଫଳରେ ୬ ଜଣଙ୍କ ଜୀବନ ଯାଇଥିଲା।

Related Posts