
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ନଦେବା ଘଟଣାର ଚର୍ଚ୍ଚା ଥମିବାରେ ନାଁ ନେଉନି । ଏହା ମଧ୍ୟରେ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରତିକ୍ରିୟା ରଖିଛନ୍ତି। ତେବେ କେତେ ସଂଖ୍ୟକ ପିଲା ପରୀକ୍ଷା ଦେଇ ନାହାନ୍ତି ତାଙ୍କ ପାଖରେ ସେ ସୂଚନା ନାହିଁ। ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନେଇ ଗଣଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଆମ ନିୟନ୍ତ୍ରଣରେ ନାହାନ୍ତି। ବୋର୍ଡ ସଭାପତି ଆହୁରି ମଧ୍ୟ କହିଛନ୍ତି- ଆମର କିଛି ଦୋଷ ନାହିଁ, ସେକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଝିବ, ପରୀକ୍ଷା ପରିଚାଳନା ଆମ କାମ, ଫର୍ମ ଫିଲପ୍ କଲେ ପରୀକ୍ଷା କରେଇବୁ, ଭେରିଫିକେସନ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ।
ସେପଟେ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ୩୧୯୭ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଫର୍ମ ଫିଲପ୍ କରିଥିଲେ ମଧ୍ୟ ଏହି ପିଲାମାନେ କାହିଁକି ବୋର୍ଡ ପରୀକ୍ଷା ଦେଲେନି ସେ ସଂପର୍କରେ ଜିଲ୍ଲା ଶିକ୍ଷା ବିଭାଗ ନିରୁତ୍ତର ରହିଛି। ଏହାଛଡ଼ା କଟକ, ଗଞ୍ଜାମ ଭଳି ଜିଲ୍ଲାରେ ବି ହଜାରହଜାର ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା କୁହାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।