ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କୁ ହସ୍ତଗତ ହେଲା ଧମକପୂର୍ଣ୍ଣ ଇ-ମେଲ: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନ ପ୍ରତି ବିପଦ । ତାଂକୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଛି । ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ହସ୍ତଗତ ହୋଇଛି । ତେବେ ଏହି ଧମକ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇଦିଆଯାଇଛି । ଏହାସହ କିଏ ଇ-ମେଲ କରିଛି ସେନେଇ ଉତ୍ସ ଖୋଜାଯାଉଛି ।

ଏହି ଇ-ମେଲରେ ଉକ୍ତ ବ୍ୟକ୍ତି କହିଛି ଯେ ତା ପାଖରେ ସେ ୨୦ କିଲୋଗ୍ରାମ ଆରଡିଏକ୍ସ ( ଶକ୍ତିଶାଳୀ ବିସ୍ଫୋରକ) ରଖିଛି । ଦେଶର ୨୦ଟି ବଡ଼ ସହରରେ ଏସବୁ ବିସ୍ଫୋରକ ଖଞ୍ଜା ଯାଇଛି । ସେସବୁ ସହରରେ ବିସ୍ଫୋରଣ କରି ପ୍ରାୟ ୨ କୋଟି ଲୋକଙ୍କୁ ହତ୍ୟା କରାଯିବ । ଏଥିପାଇଁ ଗତ ଫେବ୍ରୁଆରି ୨୮ରୁ ସେ ସ୍ଲିପର ସେଲକୁ ସକ୍ରିୟ କରିସାରିଛି । ସେ ଆହୁରି ମଧ୍ୟ କହିଛି ମୋଦୀ ତା’ଜୀବନକୁ ନଷ୍ଟ କରିଦେଇଛନ୍ତି, ଏଣୁ ସେ ମୋଦୀଙ୍କୁ ହତ୍ୟା କରି ପ୍ରତିଶୋଧ ନେବ ।

ସେ କହିଛି ଯେ, ସେ କେତେକ ଆତଙ୍କବାଦୀଙ୍କୁ ଭେଟିଛି ଓ ସେମାନଙ୍କଠାରୁ ୨୦ କିଲୋଗ୍ରାମ ଆରଡ଼ିଏକ୍ସ ସଂଗ୍ରହ କରିଛି । ଏସବୁ ବିସ୍ଫୋରକ ରଖିଥିବାରୁ ସେ ମଧ୍ୟ ଆନନ୍ଦ ପ୍ରକାଶ କରିଛି । ସୁବିଧା ସୁଯୋଗ ଅପେକ୍ଷାରେ ଥିବା ବେଳେ, ମୋଦିଙ୍କୁ ହତ୍ୟା କରିବା ପାଇଁ ଏହି ସବୁ ବ୍ଯବହାର କରିବି।

Related Posts