ତବଲିଗି ଜମାତ ମାମଲାରେ ଆପତ୍ତିଜନକ ଖବର ପ୍ରସାରଣ କରିଥିବାରୁ ୩ ନ୍ୟୁଜ ଚ୍ୟାନେଲକୁ ୧ଲକ୍ଷ ଟଙ୍କା ଜୋରିମାନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କୋଭିଡ-19 ମହାମାରୀର ପ୍ରବେଶ ସମୟରେ କିଛି ନ୍ୟୁଜ ଚ୍ୟାନେଲ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତ କାର୍ଯ୍ୟକ୍ରମକୁ ନେଇ ଆପତ୍ତିଜନକ ଖବର ପ୍ରସାରଣ କରିଥିଲେ। ଆପତ୍ତିଜନକ ଖବର ପ୍ରସାରଣ କରିବା ଏବେ ମହଙ୍ଗା ପଡିଛି। ଏହି ମାମଲାରେ ଏବେ ନ୍ୟୁଜ୍ ବ୍ରୋଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି (NBSA) ୩ଟି ନ୍ୟୁଜ ଚ୍ୟାନେଲକୁ ୧ ଲକ୍ଷ ଟଙ୍କା ଫାଇନ ଲଗାଇଛି । ଅପରପକ୍ଷରେ ଏହି ୩ ନ୍ୟୁଜ୍ ଚ୍ୟାନେଲ ମଧ୍ୟରୁ ଗୋଟିଏ ଚ୍ୟାନେଲକୁ ଟିଭି ଚ୍ୟାନେଲରେ ଦର୍ଶକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ୩ ନ୍ୟୁଜ ଚ୍ୟାନେଲ ମଧ୍ୟରେ ଗୋଟିଏ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ଏବଂ ଅନ୍ୟ ଦୁଇଟି ଆଞ୍ଚଳିକ ଗଣମାଧ୍ୟମ ହେଉଛି TV18 କନ୍ନଡ ଏବଂ ସୁବର୍ଣ୍ଣ ନ୍ୟୁଜ୍। ମୁସଲିମମାନଙ୍କୁ ଟାର୍ଗେଟ କରି ଏହି ୩ ଟିଭି ଚ୍ୟାନେଲ ଖବର ପ୍ରସାରଣ କରିଥିବାରୁ ଉକ୍ତ ସଂସ୍ଥା ଗୁଡ଼ିକୁ ୧ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ କହୁଯାଇଛି। ଗତ ବର୍ଷ ମାର୍ଚ୍ଚ ମାସରେ ଯେତେବେଳ ଭାରତର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିଲା ସେ ସମୟରେ ତବଲିଗି ଜମାତ ଏକ ଧାର୍ମିକ କାର୍ଯ୍ୟକ୍ରମ ରାଜଧାନୀ ଦିଲ୍ଲୀରେ ଆୟୋଜନ କରିଥିଲା। ବିଭିନ୍ନ ଦେଶରୁ ଏଠାକୁ ଲୋକ ଆସିଥିଲେ। ତବଲିଗି ଜମାତର ନିଜାମୁଦ୍ଦିନ ମର୍କଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେମାନଙ୍କ ଉପରେ ଦୋଷ ଲଦି ଦିଆଯାଇଥିଲା। ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ମୁସଲିମ ସଂପ୍ରଦାୟ ସଂକ୍ରମଣ ବୃଦ୍ଧି କରୁଛନ୍ତି ବୋଲି ମଧ୍ୟ ଖବର ପ୍ରସାରଣ କରିଥିଲେ। NBSA ର ପୂର୍ବତନ ଅଧ୍ୟକ୍ଷ ଏ କେ ସିକ୍ରି କହିଛନ୍ତି, ” ଏହି ନ୍ୟୁଜ ଚ୍ୟାନେଲ ଯେଉଁଭଳି ଖବର ପ୍ରସାରଣ କରିଥିଲେ, ତାହା ଅତ୍ୟନ୍ତ ଆପତ୍ତିଜନକ ଥିଲା। ପ୍ରୋଗ୍ରାମରେ ଯେଉଁଭଳି ଭାଷା, ସ୍ୱର ଓ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସେହିପରି ସୁବର୍ଣ୍ଣ ନ୍ୟୁଜ୍ ଚ୍ୟାନେଲ୍ କୁ ଏହାର ସମସ୍ତ ୱେବ୍ ପୋର୍ଟାଲରୁ ଦୁଇଟି ପ୍ରୋଗ୍ରାମର ଭିଡିଓ ହଟାଇବାକୁ କର୍ତ୍ତୃପକ୍ଷ ବ୍ରଡକାଷ୍ଟରକୁ ନିର୍ଦ୍ଦେଶ ଦେଇଛନ୍ତି। ମେ 31 ରୁ ଏପ୍ରିଲ 4, 2020 ମଧ୍ୟରେ ସୁବର୍ଣ୍ଣ ନ୍ୟୁଜ୍ ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ସାତୋଟି କାର୍ଯ୍ୟକ୍ରମ ବିରୁଦ୍ଧରେ ଅଭିଯୋଗ ଉପରେ NBSA କାର୍ଯ୍ୟାନୁଷ୍ଠାନ ନେଇଛି।

Related Posts