ମହାନଦୀରେ ୩ ଜଣ ଯୁବକ ବୁଡ଼ିବା ଘଟଣା; ଆଉ ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାନଦୀରେ ୩ ଜଣ ଯୁବକ ବୁଡ଼ିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ନିଖୋଜ ୨ ନାବାଳକଙ୍କ ଭିତରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛୋଟୁ ଓରଫ ଆୟୋର୍ ଖାନ । ସେପଟେ ଗତକାଲି ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍ ୟୁସୁଫ୍ଙ୍କ ପୁଅ ସେକ ସାହିଲଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ଏବଂ ଏହା ଏବେ ବି ଜାରି ରହିଛି। ଘଟଣାସ୍ଥଳରେ ମେୟର ସୁବାସ ଚନ୍ଦ୍ର ସିଂହ, କଟକ-ବାରବାଟର ବିଧାୟକ ମହମ୍ମଦ ମୋକିମ ଓ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି।

ନିଖୋଜ ରାଜ୍ ଓରଫ ସିଦ୍ଦିକ୍ ଖାନଙ୍କର ସନ୍ଧାନ ଏବେ ଜାରି ରହିଛି। ସେପଟେ ଗତକାଲି ଦିନ ପ୍ରାୟ ୧ଟା ବେଳେ ଚାରିଘରିଆସାହିର କେତେଜଣ ଯୁବକ ମହାନଦୀ ଯୋବ୍ରା ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ସାହିଲ୍, ରାଜ୍ ଓ ଛୋଟୁ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ଉଦ୍ଧାର କରିବେ କ’ଣ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Related Posts