ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ ପୂର୍ବରୁ ହିଁ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ ପୂର୍ବରୁ ହିଁ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ । ତେବେ ଏହି କାର୍ୟ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରାନଯିବା ନେଇ ବିଜେପି ନେତା ସମ୍ବିତ୍ ପାତ୍ର ଟୁଇଟ୍ କରିଥିବା ବେଳେ ଏହାର ଜବାବ ଦେଇ ପୁରୀ ସାଂସଦ ପିନାକୀ ମିଶ୍ର ଟୁଇଟ୍ କରିଛନ୍ତି ଯେ ପ୍ରୋଟୋକଲ୍ ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ପାତ୍ର ଟୁଇଟ୍ କରିଛନ୍ତି ଯେ ପୁରୀ ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୧୮୯କୋଟିରୁ ୬୦% ଅର୍ଥାତ୍ ୧୧୩.୪୦କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଉଦ୍ଘାଟନ ନେଇ କୌଣସି ସୂଚନା ଦିଆଯାଇନି। ଉଦ୍ଘାଟନ ପାଇଁ ପ୍ରଧାନମନ୍ତ୍ରୀ କି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଡକାହୋଇନି। ଏହାସହ ଶ୍ରୀ ପାତ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଜାନୁଆରି ୬ରେ ଦେଶର ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠିକୁ ଟୁଇଟ୍ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି ଯେ ‘ଜିଲ୍ଲାସ୍ତରୀୟ/ରେଫେରାଲ୍ ହସ୍ପିଟାଲଗୁଡ଼ିକୁ ସଂଯୋଗ କରି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରିବା’ ଯୋଜନାରେ ସାରା ଦେଶରେ ୧୫୭ଟି ମେଡିକାଲ କଲେଜ ନିର୍ମାଣ ହେଉଛି। ଏହା କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ମେଡିକାଲ କଲେଜଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ ସମୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ଦେବା ଦରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁବିଧା ଅନୁଯାୟୀ ନିର୍ଦ୍ଦିଷ୍ଟ ଦିନରେ ଶିଳାନ୍ୟାସ, ଉଦ୍ଘାଟନ ହେବ।

ଏଥିରେ ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ଅଧିକାରୀମାନେ ରହିବେ। ହେଲେ ଓଡ଼ିଶା ସରକାର ଏହାକୁ କାହିଁକି ମାନୁନାହାନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେୟ ଯୁଦ୍ଧକୁ ନଯାଇ ପୁରୀସ୍ଥିତ ମେଡିକାଲ କଲେଜ୍ ଉଦ୍ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ଭାବେ ଆମନ୍ତ୍ରଣ କରିବା କଥା ବୋଲି ସେ କହିଛନ୍ତି। ସମ୍ବିତ୍ ପାତ୍ରଙ୍କ ଟୁଇଟ୍ ଉପରେ ବିଜେଡି ସାଂସଦ ପିନାକୀ ମିଶ୍ର ଟୁଇଟ୍ କରି କହିଛନ୍ତି ଯେ ପୁରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ମୋଟ୍ ୬୩୪କୋଟି ଖର୍ଚ୍ଚ ହେବ। ଏଥିରୁ ୧୭.୮% ଅର୍ଥାତ୍ ୧୧୩କୋଟି କେନ୍ଦ୍ର ସରକାର ଦେଇଛନ୍ତି।

ବର୍ଷକୁ ପ୍ରାୟ ୪୦ କୋଟି ଖର୍ଚ୍ଚ ହେବ। ଯାହା ରାଜ୍ୟ ସରକାର ବହନ କରିବେ। ରାଜ୍ୟର ହିତ ପାଇଁ ଯେଉଁ ସହାୟତା ଦିଆଯାଉଛି ସେଥିପାଇଁ ଆମେ କୃତଜ୍ଞ। ଧାର୍ୟ୍ୟ ପ୍ରୋଟୋକଲ୍ ଅନୁଯାୟୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମେଡିକାଲ୍ କଲେଜର ଉଦ୍ଘାଟନୀ କାର୍ୟ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ। ସାରା ଭରତବର୍ଷ ଜାଣିଛି ନବୀନ ବାବୁ ନିଜ ଢ଼ୋଲକୁ ନିଜେ ପିଟିବାକୁ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts