ତୈଳଦର ବୃଦ୍ଧି ପ୍ରତିବାଦରେ ସାଇକଲରେ ସଂସଦ ପହଞ୍ଚିଲେ ଟିଏମସି ସାଂସଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ହିଁ ଦେଖିବାକୁ ମିଳିଛି ବିରୋଧ ପ୍ରଦର୍ଶନ ।  ତୈଳଦର , ରୋଷେଇ ଗ୍ୟାସ ଏବଂ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଟିଏମସିର ୬ ଜଣ ସାଂସଦ ସାଇକଲ୍ ଚଲାଇ ସଂସଦ ପହଞ୍ଚି ବିରୋଧ ପ୍ରଦର୍ଶନ କରିଛନ୍ତି।  

ଏହି ୬ ଜଣ ସାଂସଦ ହେଉଛନ୍ତି – ଡେରେକ ଓ’ବ୍ରାଇନ୍, କଲ୍ୟାଣ ବନ୍ଦୋପାଧ୍ୟାୟ, ଅର୍ପିତା ଘୋଷ, ନାଡିମୁଲ ହକ, ଶାନ୍ତନୁ ସେନ୍ ଏବଂ ଅବୀର ରଂଜନ ବିଶ୍ବାସ ମଧ୍ୟ ଗୃହର ପ୍ରବେଶ ପଥ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ANI ପକ୍ଷରୁ ଜାରି ଭିଡିଓରେ ଶୁଣିବାକୁ ମିଳୁଛି ଯେ ଟିଏମସି ସାଂସଦମାନେ ପେଟ୍ରୋଲର ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି “ନରେନ୍ଦ୍ର ମୋଦୀ ଜବାବ ଦୋ” (ନରେନ୍ଦ୍ର ମୋଦୀ ଆମକୁ ଉତ୍ତର ଦିଅନ୍ତି) ଏବଂ “ଜବାବ ତୁମ୍ କୋ ଦେନା ହୋଗା” (ତୁମକୁ ଉତ୍ତର ଦେବାକୁ ପଡିବ) ସ୍ଲୋଗାନ ଦେଇ ବିରୋଧ କରି ଥିଲେ। 

ସାସଂଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ , ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ବାହାରେ ଓ ଭିତରେ ସବୁ ଜାଗାରେ ବିରୋଧ ପ୍ରଦର୍ଶନ ହେବ। କୃଷକ ଓ ଶ୍ରମିକ ସମସ୍ତେ ଏହାର ବିରୋଧ କରିବେ। ସେ କହିଛନ୍ତି ଯେ, ସାଧାରଣ ଲୋକେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ମୋଦି ସରକାରଙ୍କ ମନ୍ତ୍ରୀମାନେ ତୈଳ କମ୍ପାନୀ ଉପରେ ସବୁ ଦୋଷ ଲଦୁଛନ୍ତି।

ସୂଚନାଯୋଗ୍ୟ, ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୈଳଦର ବୃଦ୍ଧି ପ୍ରତିବାଦରେ ନିଜ ଘର କାଲିଘାଟରୁ ନବାତ୍ର ପର୍ଯ୍ୟନ୍ତ ଇଲେକଟ୍ରିକ୍ ସ୍କୁଟିରେ ଯାଇ ବିରୋଧ କରି ଥିଲେ।  ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ। 

Related Posts