ନୋଟ୍ ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛାପିବାକୁ ଦାବି କରିଥିଲେ। ଏନେଇ ସେ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଚିଠି ଲେଖିବା ପରେ କେଜ୍ରିୱାଲ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।

ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏହା ସହିତ ସେ ଲେଖିଥିବା ଚିଠିର ଫୋଟୋ ମଧ୍ୟ ସେୟାର କରିଛନ୍ତି।

କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ, ଦେଶର ୧୩୦ କୋଟି ଲୋକଙ୍କର ଇଚ୍ଛା ଯେ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ । ଆଜି ଦେଶର ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ସ୍ୱାଧୀନତାର ୭୫ ବର୍ଷ ପରେ ଭାରତ ବିକାସଶୀଳ ଓ ଗରିବ ରାଷ୍ଟ୍ର ତାଲିକାରେ ଗଣନା ହେଉଛି । ଏହାର ସୁଧାର ଆଣିବାକୁ ଭାରତୀୟମାନଙ୍କୁ କଠିନ ପରିଶ୍ରମ କରିବା ସହ ଭଗବାନଙ୍କର ଆର୍ଶିବାଦ ମଧ୍ୟ ଦରକାର । ଏଣୁ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମୁଦ୍ରା ଉପରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।

ଅନ୍ୟପଟେ କେଜ୍ରିୱାଲଙ୍କର ଏଭଳି ଦାବିକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଜେପି କହିଛି କି ଗୁଜରାଟ ଓ ହିମାଚଳ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ନିଜର ହିନ୍ଦୁ ବିରୋଧୀ ଛବି ସୁଧାରିବାକୁ ଏଭଳି ଦାବି କରୁଛନ୍ତି । ଅନ୍ୟପଟେ କଂଗ୍ରେସ କେଜ୍ରିୱାଲଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଯୋଡିବା ସହ ତାଙ୍କୁ ଛୋଟ ସଂଘୀ ବୋଲି କହିଛି। ତେବେ କେଜ୍ରିୱାଲଙ୍କର ଏଭଳି ଦାବି ପରେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିଭିନ୍ନ ଦଳର ନେତା ମାନେ ନୋଟ୍ ରେ ଭିନ୍ନ ଭିନ୍ନ ଛବି ଛାପିବାକୁ ଦାବି କରିଛନ୍ତି।

Related Posts