ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ; ଆହତ ଆୟରଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରଜତ ପଟିଦାର

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ପ୍ରଥମ ଦିନିକିଆ ଖେଳାଯିବ । ଅପରାହ୍ନ ୧.୩୦ରୁ ମ୍ୟାଚ ଆରମ୍ଭ ହେବ ।

ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଦିନିକିଆ ସିରିଜ ଜିତିବା କରିବା ପରେ ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ । ସଦ୍ୟ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୨-୧ରେ କବଜା କରିଥିଲା ଭାରତ । ଏହାପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ମୂଳପୋଛ କରିଥିଲା । ଦଳରେ ଏ ପ୍ରଦର୍ଶନକୁ ଖେଳାଳି ଦୃଢ ମନୋବଳରେ ରହିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ତୃତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଶେଷ ଦୁଇଟି ଯାକ ମ୍ୟାଚରେ ଶତକ ହାସଲ କରିଥିଲେ କିଙ୍ଗ କୋହଲି । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଶୁଭମନ ଗିଲଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ୟାନ୍ସଙ୍କ ନଜର ରହିବ । ଭାରତର ବ୍ୟାଟିଂ ବିଭାଗ ଭଲ ଥିଲେ ବି କିଛି ଛୋଟ ମୋଟ ତ୍ରୁଟିକୁ ସୁଧାରିବାକୁ ହେବ । ସେପଟେ ଶ୍ରେୟାସ ଆୟର ଆହତଜନିତ ସମସ୍ୟା ପାଇଁ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି ।

ଘରୋଇ ଗ୍ରାଉଣ୍ଡରେ ଦଳ ଆଧିପତ୍ୟ ବଜାୟ ଲକ୍ଷ୍ୟରେ ରହିଛି । ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି । ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଅଧିନାୟକ ରୋହିତ ଶର୍ମା ତାଙ୍କ ଉପରେ ଆଶା ରଖିଛନ୍ତି । ଭାରତ ପାଇଁ ସିରାଜ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ବୋଲି କହିଛନ୍ତି ରୋହିତ । ଶେଷ ଦୁଇ ବର୍ଷ ସିରାଜ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଉମ୍ରାନ ମଲିକ ପେସ ବିଭାଗ ସମ୍ଭାଳିବାକୁ ଥିବାବେଳେ ସ୍ପିନ ବିଭାଗ ପାଇଁ ଯୁଝବେନ୍ଦ୍ର ଚହଲ କିମ୍ବା କୁଳଦୀପ ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।

ସେପଟେ ନ୍ୟୁଜିଲାଣ୍ଡ ଘରୋଇ ଦଳକୁ କଡ୍ଡା ଟକ୍କର ଦେବାକୁ ସମସ୍ତ ରଣନୀତି ପ୍ରସ୍ତୁତ କରିଛି । ଅଭିଜ୍ଞ କେନ ୱିଲିୟମସନ ଓ ଟିମ ସାଉଦିଙ୍କ ଅନୁପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ ଭାରତକୁ କଡ୍ଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ଟିମ ଲଥାମଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ଏହି ମ୍ୟାଚ ସହ ଦିନିକିଆ ସିରିଜ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ହାଇଦ୍ରବାଦ ପିଚ ସ୍ପିନରଙ୍କୁ ସୁହାଇବ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି ।

Related Posts